Uncategorized

ଜିଆରପି କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲା: ୩ ପ୍ରମୁଖ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ସଂଘବଦ୍ଧ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ପ୍ରମୁଖ ଅଭିଯୁକ୍ତ- ସ୍କାଏ ଲ୍ୟାବ ପତି, ବିସ୍ମୟ ମହାନ୍ତି ଏବଂ ପଞ୍ଚାନନ ବଡ଼ଜେନାଙ୍କୁ ଏସ୍‌ଡେଜେଏମ୍ (SDJM) କୋର୍ଟ ୨ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ସବୁଜ ସଙ୍କେତ ମିଳିବା ପରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଏହି ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ନିଜ ହେପାଜତକୁ ନେଇଛି। ଏହି ଦୁଇ ଦିନିଆ ରିମାଣ୍ଡ କାଳରେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଏବଂ ଘଟଣା ସମ୍ପର୍କିତ ଅନେକ ଗୁପ୍ତ ତଥ୍ୟ ଆଦାୟ କରିବା ପାଇଁ ଅଭିଯୁକ୍ତମାନଙ୍କୁ ମାରାଥନ୍ ପଚରାଉଚରା କରାଯିବ। ସୂଚନାଯୋଗ୍ୟ ଯେ, ଗତ ମେ ୭ ତାରିଖରେ ବାଲିଅନ୍ତାର ଭିଙ୍ଗାରପୁରଠାରେ ଦୁଇ ଯୁବତୀଙ୍କ ସହ ଗାଡ଼ି ଧକ୍କା ହେବା ଭଳି ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଉତ୍ୟକ୍ତ ଲୋକେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ଅତି ଅମାନୁଷିକ ଭାବେ ପିଟି ପିଟି ହତ୍ୟା କରିଥିଲେ। ଏହି ବର୍ବରକାଣ୍ଡ ମାମଲାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇ ସାରିଛି। ତେବେ ଘଟଣାର ସେହି ଭାଇରାଲ ଭିଡିଓ ଆଧାରରେ ଏଥିରେ ସଂପୃକ୍ତ ଥିବା ଆଉ କିଛି ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ କରିବା, ସେମାନଙ୍କ ଲୁଚିଥିବା ସ୍ଥାନ ବାବଦରେ ସୁରାକ ହାସଲ କରିବା ଏବଂ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହି ରିମାଣ୍ଡ ପଚରାଉଚରା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

Related Articles

Back to top button