ରଥଯାତ୍ରା ପାଇଁ ବସିଲା ଉଚ୍ଚସ୍ତରୀୟ ବୈଠକ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୦୨୬ ମସିହା ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଓଡ଼ିଶା ଅତିଥି ଭବନ ଠାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି । ଚଳିତ ବର୍ଷର ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ୟ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୋଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ।
ଏହି ବୈଠକରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡ଼ପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକୀୟ ସ୍ୱତନ୍ତ୍ର ବାରିକେଡ଼ିଂ ବ୍ୟବସ୍ଥା, ସେବାୟତ, ନିଯୋଗ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ନେଇ ଆଲୋଚନା କରାଯାଇଛି ।
ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ,ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ, ଦଇତାପତି ନିଯୋଗ ସଭାପତି ଶ୍ରୀ ଗଣେଶ ଦାସ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ଆଇନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଦଇତାପତି ନିଯୋଗର କାର୍ୟ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।




