ଜନଗଣନା କାର୍ଯ୍ୟରେ ଅସହଯୋଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ୱର: ଜନଗଣନା-୨୦୨୭ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜନଗଣନା କାର୍ଯ୍ୟରେ ନିୟୋଜିତ ଶିକ୍ଷକ ଓ ଶିକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ମୁକ୍ତ (ରିଲିଭ୍) ନକଲେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅନେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଶିକ୍ଷକଙ୍କୁ ଜନଗଣନାକାରୀ (Enumerator) ଓ ସୁପରଭାଇଜର ଭାବେ କାମ କରିବାକୁ ଅନୁମତି ଦେଉନଥିବା ସରକାରଙ୍କ ନଜରକୁ ଆସିଛି। ଏହାକୁ ଗୁରୁତର ସହ ନେଇ ବିଭାଗ ସ୍ପଷ୍ଟ କରିଛି ଯେ, ଜନଗଣନା କାର୍ଯ୍ୟ ‘ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ଏକ ବାଧ୍ୟତାମୂଳକ ଓ ବୈଧ ସରକାରୀ କାର୍ଯ୍ୟ। ଏଥିରେ କୌଣସି ପ୍ରକାର ବାଧା ସୃଷ୍ଟି କରିବା ଆଇନତଃ ଅପରାଧ। ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (DEO)ଙ୍କୁ ଏ ସମ୍ପର୍କରେ ତୁରନ୍ତ ଉଭୟ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ସୂଚନା ଦେବା ପାଇଁ କୁହାଯାଇଛି। ଜନଗଣନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ଛାଡ଼ିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।




