Uncategorizedଓଡ଼ିଶା

ଭୟଙ୍କର ବାତ୍ୟା ‘ଦାନା’ କାହିଁକି ହେଲା ଦୁର୍ବଳ? କାରଣ କଣ ଜାଣନ୍ତୁ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନଠାରୁ କମ୍‌ ହୋଇଛି ବର୍ଷା ପବନ । ତେବେ ବାତ୍ୟା ଦୁର୍ବଳ ହେବା ପରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କିମାରିଛି । ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏନେଇ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏତେ ଭୟଙ୍କର ରୂପ ଧାରଣ କରି ଆସୁଥିବା ବାତ୍ୟା ହଠାତ୍‌ କାହିଁକି ଦୁର୍ବଳ ହୋଇପଡ଼ିଲା ।

ତେବେ ଏହାର କାରଣ କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି, ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହୋଇଥିଲା । ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହେବାରୁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାଧାରଣତଃ ୫ରୁ ୬ ଘଣ୍ଟା ଲାଗିଥାଏ । ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା । ତେଣୁ ବାତ୍ୟା ଦୁର୍ବଳ ହୋଇପଡ଼ିଲା । ଏହାର ଅର୍ଥ ବାତ୍ୟାର ଦୁଇ ପଟେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରେ ଦୁଇଟି ଗୁରୁଚାପ ବଳୟ ସୃଷ୍ଟି ହୋଇଥିଲା। ତାହା ଦୁଇ ପଟୁ ବାତ୍ୟା ‘ଦାନା’କୁ ଚାପିଦେଲା । ଏଥିସହ ଗୁରୁଚାପ ବଳୟରୁ ନିର୍ଗତ ହେଉଥିବା ଶୁଷ୍କ ବାୟୁ ‘ଦାନା’ ମଧ୍ୟରେ ପ୍ରବେଶ କଲା । ଏଥିପାଇଁ ବାତ୍ୟା ‘ଦାନା’ ଦୁର୍ବଳ ହୋଇପଡ଼ିବା ସହ ଏହାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ସେ କହିଛନ୍ତି ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଆମ ପୂର୍ବାନୁମାନ ପ୍ରାୟତଃ ଠିକ୍‌ ରହିଛି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ l ସେତେବେଳେ ପବନର ବେଗ କେତେ ରହିବ ସେ ନେଇ ଆମ ଆକଳନ ଠିକ୍‌ ରହିଛି । ମାତ୍ର ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ଚାପି ହୋଇଯିବା ଯୋଗୁ ଏହା ଶକ୍ତିଶାଳୀ ହୋଇ ପାରିଲାନି । ଫଳରେ ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଅଧିକ ସମୟ ଚାଲିଲା । ଏଥିସହ କେବଳ ଲ୍ୟାଣ୍ଡଫଲ୍‌ କରିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ରହିଲା ।

ମୁଖ୍ୟତଃ ବାତ୍ୟା ଶକ୍ତିଶାଳୀ ହେଲେ ହିଁ ତାହାର ଆଖି ଦୃଶ୍ୟମାନ ହୋଇଥାଏ । ମାତ୍ର ‘ଦାନା’ ଦୁର୍ବଳ ହୋଇ ପଡ଼ିବାରୁ ତାହାର ଆଖି ବାହାରି ନ ଥିଲା । ଦୁର୍ବଳ ବାତ୍ୟା ସମ୍ପର୍କରେ ପୁର୍ବାନୁମାନ କରିବା ଅଧିକ କଷ୍ଟକର ବୋଲି କହିଛନ୍ତି ଉମାଶଙ୍କର ଦାସ । ସଦ୍ୟ ରିପୋର୍ଟ ଅନୁଯାୟୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ କେଉଁ ସ୍ଥାନରେ କାଁଭାଁ ବର୍ଷା ହୋଇଥିବା ଜଣାଯାଇଛି । ମୁଖ୍ୟତଃ ବାତ୍ୟାଟି ଦୁର୍ବଳ ହୋଇପଡ଼ିବାରୁ ଏହାର କେନ୍ଦ୍ରସ୍ଥଳ ଆଖପାଖ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ବର୍ଷା ହୋଇ ନ ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ।

Related Articles

Back to top button