ମଝି ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡଙ୍ଗା, ୧୪ ମୃତ!

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ସ୍ୱପ୍ନ ଥିଲା ୟୁରୋପରେ ନୂଆ ଜୀବନ ଆରମ୍ଭ କରିବାର। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ମଝି ସମୁଦ୍ରରେ ଘଟିଗଲା ବଡ଼ ଅଘଟଣ। ଆଫ୍ରିକୀୟ ଦେଶ ଗାମ୍ବିଆରୁ ୧୦୪ ଜଣ ପ୍ରବାସୀଙ୍କୁ ନେଇ ସ୍ପେନ୍ ଯାଉଥିବା ଏକ ଡଙ୍ଗା କାନାରି ଦ୍ୱୀପପୁଞ୍ଜ ନିକଟରେ ବୁଡ଼ିଯାଇଛି। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ପେନର ଏଲ୍ ହିଏରୋ ଦ୍ୱୀପଠାରୁ ପ୍ରାୟ ୭୨ କିଲୋମିଟର ଦୂରରେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିଲା। ଗାମ୍ବିଆର ରାଜଧାନୀ ବାଞ୍ଜୁଲରୁ ପ୍ରାୟ ୧୦ ଦିନ ପୂର୍ବରୁ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା।
ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଡଙ୍ଗାର ଇଞ୍ଜିନ୍ ତିନି ଦିନ ପୂର୍ବରୁ ଅଚଳ ହୋଇଯାଇଥିଲା। ଫଳରେ ସମୁଦ୍ର ମଝିରେ ଫସି ରହିଥିଲେ ପ୍ରବାସୀ। ଶେଷରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ଖବର ପାଇ ସ୍ପେନର ସାମୁଦ୍ରିକ ଉଦ୍ଧାରକାରୀ ଦଳ ଏବଂ ସିଭିଲ୍ ଗାର୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ବଡ଼ଧରଣର ଉଦ୍ଧାର କାର୍ଯ୍ୟ। ଉଦ୍ଧାର ହୋଇଥିବା ୯୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ପଠାଯାଇଥିଲା। ଅନ୍ୟ ୮୪ ଜଣଙ୍କୁ ଉଦ୍ଧାରକାରୀ ଜାହାଜ ଯୋଗେ ଲା ରେଷ୍ଟିଂଗା ବନ୍ଦରକୁ ଅଣାଯାଇଥିଲା।
ସେପଟେ କାନାରି ଦ୍ୱୀପପୁଞ୍ଜ ପଶ୍ଚିମ ଆଫ୍ରିକାରୁ ୟୁରୋପ ଯିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଏକ ପ୍ରମୁଖ ପ୍ରବେଶ ପଥ ପାଲଟିଛି। ନଭେମ୍ବର ୨୪ରେ ୨୧୦୦ରୁ ଅଧିକ ପ୍ରବାସୀ ଆଟଲାଣ୍ଟିକ୍ ରୁଟ୍ ଦେଇ ଏଲ୍ ହିଏରୋରେ ପହଞ୍ଚିଥିଲେ। ସ୍ପେନର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ୨୮ ହଜାର ୧୫୫ ଜଣ ସମୁଦ୍ର ପଥରେ ସ୍ପେନରେ ପହଞ୍ଚିଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୩ ପ୍ରତିଶତ ଅଧିକ।
ଏହି ଦୁର୍ଘଟଣାକୁ ନେଇ ସ୍ପେନରେ ରାଜନୈତିକ ବିବାଦ ମଧ୍ୟ ତେଜିଛି। ପ୍ରବାସ ଏବେ ସ୍ପେନର ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ମୁଖ୍ୟ ବିରୋଧୀ ଦଳ ପପୁଲାର ପାର୍ଟିର ନେତା ଆଲବର୍ଟୋ ନୂନେଜ୍ ଫେଜୋ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି। ସମୁଦ୍ରରେ ଏଭଳି ଜୀବନହାନି ସରକାରଙ୍କ ଦାୟିତ୍ୱହୀନତାର ପରିଣାମ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ସ୍ପେନ୍କୁ ଏକ ସୁବ୍ୟବସ୍ଥିତ ପ୍ରବାସ ନୀତିର ଆବଶ୍ୟକତା ଥିବା କହିଛନ୍ତି।




