ବଢ଼ିଗଲା ସୁନା ଦର । ଭାଙ୍ଗିଗଲା ଗ୍ରାହକଙ୍କ ସ୍ୱପ୍ନ

କିଛି ଦିନ ହେବ ଖୁସି ଖବର ଆଣୁଥିବା ସୁନା ଦର ଆଜି ହୁ ହୁ ହୋଇ ବଢିଛି । ଯାହାକି ଗ୍ରାହକଙ୍କ ମନକୁ ପାଣିଚିଆ କରିଦେଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୩୫୦ ଟଙ୍କା ବଢ଼ିଛି। ଅନ୍ୟପଟେ ୨୪ କ୍ୟାରେଟ୍ ସୁନା ଦରରେ ମଧ୍ୟ ବୃଦ୍ଧି ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଦର ୧,୧୬,୦୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ୧,୪୮୦ ଟଙ୍କା ବୃଦ୍ଧି ଘଟି ୧୦ ଗ୍ରାମ୍ ପିଛା ଦର ୧,୨୬,୫୬୦ ଟଙ୍କା ହୋଇଛି। ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୧୧୦୦ ଟଙ୍କା ବଢି ୯୪,୯୧୦ ଟଙ୍କା ହୋଇଛି।
ଅନ୍ୟପଟେ ରୁପା ଦର ଗତ ତିନି ଦିନ ଧରି ଅପରିବର୍ତ୍ତିତ ରହିଛି। ରୁପା ଦର ବର୍ତ୍ତମାନ ୧ କେଜି ପିଛା ୧,୭୫,୦୦୦ ଟଙ୍କା ରହିଛି।ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧହାର ବୃଦ୍ଧି କରିବା ନେଇ ନିବେଶକଙ୍କ ଆଶଙ୍କା କମିଛି। ପୂର୍ବରୁ ସୁଧହାର ଅଧିକ ବୃଦ୍ଧି ପାଇବାର ଯେଉଁ ଆକଳନ କରାଯାଉଥିଲା, ତାହା ଏବେ କମିଛି। ସେହିପରି ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଥିଲା। ଏହା ଗତ ୮ ମାସ ମଧ୍ୟରେ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ଥିଲା। କିନ୍ତୁ ସୋମବାର ଦିନ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପୁଣି ବଢ଼ିବା ଆରମ୍ଭ କରିଛି। ରିପୋର୍ଟ ଅନୁସାରେ, ସ୍ପଟ୍ ଗୋଲ୍ଡ ଦର ପ୍ରାୟ ୨.୯ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୩,୬୩୫.୮୦ ଡଲାରରେ ପହଞ୍ଚିଥିଲା।
ଷ୍ଟକ୍ ମାର୍କେଟରେ ହ୍ରାସ ଏବଂ ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ଦେଖୁଛନ୍ତି। ଫଳରେ ସୁନା କିଣିବା ପ୍ରତି ଆଗ୍ରହ ବଢ଼ିଛି।ଗତ ସପ୍ତାହରେ ସୁନା ଦରରେ ବଡ଼ ଧରଣର ହ୍ରାସ ହୋଇଥିବାରୁ ଅନେକ ଗ୍ରାହକ କମ୍ ଦରରେ ସୁନା କିଣିବାକୁ ଆଗ୍ରହ ଦେଖାଇଛନ୍ତି। ବିଶେଷକରି ବିବାହ ଋତୁ ଆରମ୍ଭ ହୋଇଥିବାରୁ ଅଳଙ୍କାର କିଣାକିଣି ମଧ୍ୟ ଚାଲିଛି। ଏହା ମଧ୍ୟ ବଜାରରେ ସୁନାର ଚାହିଦାକୁ ପ୍ରଭାବିତ କରିଛି।



