ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ଅକ୍ଟୋବରରୁ ମିଳିବ ନୂଆ ଭତ୍ତା

ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ମଧୁବାବୁ ପେନସନ୍ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ। ମୋଟ ୫ ଲକ୍ଷ ୫ ହଜାର ୮୧୭ ଜଣଙ୍କୁ ମିଳିବ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଭତ୍ତା। ଏହାଦ୍ୱାରା ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଅନେକ ଯୋଗ୍ୟ ବ୍ୟକ୍ତି ଉପକୃତ ହେବେ।ସୂଚନା ଅନୁସାରେ, ଅକ୍ଟୋବର ମାସରୁ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା। ଏଥିପାଇଁ ନଭେମ୍ବର ୧୦ ତାରିଖରେ ବାଲେଶ୍ୱରରେ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ପେନସନ୍ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ।
ସବୁଠାରୁ ବଡ଼ କଥା ହେଉଛି, ଏଣିକି ପେନସନ୍ ପାଇଁ ଆବେଦନ କରି ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି। ଆବେଦନ ମଞ୍ଜୁର ହେଲେ ତା’ ପରବର୍ତ୍ତୀ ମାସରୁ ହିଁ ମିଳିବ ଭତ୍ତା। ଆବେଦନକାରୀ ନିଜ ଅଞ୍ଚଳର ବିଡିଓ କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଏହା ସହ ଅନଲାଇନ୍ ମାଧ୍ୟମରେ ମଧ୍ୟ ରହିବ ଆବେଦନର ସୁବିଧା।ଖାଲି ସେତିକି ନୁହେଁ, ୮୦ ବର୍ଷ ବୟସ ପୂରଣ କରିବା ପରେ ହିତାଧିକାରୀଙ୍କ ପେନସନ୍ ରାଶି ଆପେଆପେ ବୃଦ୍ଧି ପାଇବ। ଏଥିପାଇଁ ଆଉ ନୂଆ କରି ଆବେଦନ କରିବାକୁ ପଡ଼ିବନି। ଫଳରେ ବୟସ ବଢ଼ିବା ସହ ଅଧିକ ଆର୍ଥିକ ସହାୟତା ପାଇବା ପ୍ରକ୍ରିୟା ମଧ୍ୟ ସହଜ ହେବ।
ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସରଳ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଠିକ୍ ସମୟରେ ସରକାରୀ ସହାୟତା ପହଞ୍ଚାଇବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ତେବେ ନୂଆ ହିତାଧିକାରୀଙ୍କ ମଧ୍ୟରେ ଆପଣଙ୍କ ପରିବାରର କେହି ଅଛନ୍ତି କି? ଆବେଦନ ଓ ମଞ୍ଜୁରୀ ସମ୍ପର୍କିତ ସୂଚନା ପାଇଁ ନିଜ ବ୍ଲକ୍ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ।




