୩୦ ଲକ୍ଷ ଦୀପରେ ଝଲସିବ ରାମନଗରୀ, ଅଯୋଧ୍ୟାରେ ଦଶମ ଦୀପୋତ୍ସବ

ଆଲୋକର ମହାପର୍ବ ପାଇଁ ପ୍ରସ୍ତୁତ ଅଯୋଧ୍ୟା। ରାମଙ୍କ ଆଗମନର ସ୍ମୃତିରେ ଆଜି ପୁଣି ଦୀପର ଆଲୋକରେ ଝଲସିବ ରାମନଗରୀ। ସରଯୂ ନଦୀ କୂଳରେ ଥିବା ରାମ କି ପୈଡ଼ିର ୫୬ଟି ଘାଟରେ ଜଳିବ ୩୦ ଲକ୍ଷ ଦୀପ। ଦୀପର ଆଲୋକରେ ଏକ ଅଲୌକିକ ଦୃଶ୍ୟ ସୃଷ୍ଟି କରିବ ରାମଙ୍କ ନଗରୀ। କେବଳ ଦୀପ ନୁହେଁ, ଏଥର ଆକାଶରେ ମଧ୍ୟ ଦେଖିବାକୁ ମିଳିବ ରାମାୟଣର ଝଲକ। ୨,୧୦୦ ଡ୍ରୋନ୍ ମାଧ୍ୟମରେ ଆକାଶରେ ଜୀବନ୍ତ ହେବ ରାମାୟଣର ବିଭିନ୍ନ ପ୍ରସଙ୍ଗ। ଅନ୍ୟପଟେ ୨,୧୪୭ ଜଣ ପୁରୋହିତ ଏକକାଳୀନ ସରଯୂ ନଦୀରେ ମହାଆରତୀ କରିବେ। ଯାହା ଦୀପୋତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ।
ଦୀପୋତ୍ସବକୁ ନେଇ ଉତ୍ସବମୁଖର ପୁରା ଅଯୋଧ୍ୟା। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଶ୍ରୀରାମ ଜନ୍ମଭୂମି ମନ୍ଦିର। ସାକେତ କଲେଜରୁ ରାମକଥା ପାର୍କ ପର୍ଯ୍ୟନ୍ତ ବାହାରିବ ୨୧ଟି ପ୍ରଜ୍ଞାପନ ମେଢ଼। ଏଥିରେ ରାମାୟଣର ବିଭିନ୍ନ ଘଟଣା ଓ ଭାରତୀୟ ସଂସ୍କୃତିର ଝଲକ ପ୍ରଦର୍ଶିତ ହେବ। ଭଗବାନ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ, ଭରତଙ୍କ ସହ ମିଳନ ଏବଂ ଶ୍ରୀରାମଙ୍କ ରାଜ୍ୟାଭିଷେକକୁ ପ୍ରତୀକାତ୍ମକ ଭାବେ ଉପସ୍ଥାପନ କରାଯିବ। ଏହାସହ ଥ୍ରୀ-ଡି ପ୍ରୋଜେକ୍ସନ ମ୍ୟାପିଂ, ଲେଜର ଶୋ ଓ ଡ୍ରୋନ୍ ଶୋ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ।
ଏହି ଭବ୍ୟ ଦୀପୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ତାଙ୍କ ସହ ଉପସ୍ଥିତ ରହିବେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ଦୀପୋତ୍ସବ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ଯୋଗୀ। ସେ କହିଛନ୍ତି, ଅନ୍ଧାର ସହ ଲଢ଼ିବାର ଆବଶ୍ୟକତା ନାହିଁ, କେବଳ ଗୋଟିଏ ଦୀପ ଜାଳିବା ଯଥେଷ୍ଟ। ଦୀପୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଆସ୍ଥା, ସ୍ୱାଭିମାନ ଓ ସନାତନ ଚେତନାର ପୁନର୍ଜାଗରଣର ପ୍ରତୀକ ବୋଲି ସେ କହିଛନ୍ତି। ଏଥିସହ ପ୍ରତ୍ୟେକ ଘରେ ଦୀପ ଜାଳି ଉତ୍ସବରେ ସାମିଲ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
ଏଥର ଦୀପୋତ୍ସବକୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ କରାଯାଇଛି। ତେବେ ମୁଖ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମରେ କେବଳ ୬ ହଜାର ପାସ୍ଧାରୀଙ୍କୁ ପ୍ରବେଶ ଅନୁମତି ମିଳିବ। ମୁଖ୍ୟ କାର୍ଯ୍ୟକ୍ରମ ଶେଷ ପରେ ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ରାମ କି ପୈଡ଼ିରେ ଦୀପୋତ୍ସବର ଭବ୍ୟ ଦୃଶ୍ୟ ଦେଖିପାରିବେ। ଦୀପୋତ୍ସବର ଏହି ଆୟୋଜନ କେବଳ ଧାର୍ମିକ ଭାବନା ନୁହେଁ, ବରଂ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ଧାର୍ମିକ ଓ ସାଂସ୍କୃତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ କରାଇବାର ଏକ ବଡ଼ ପ୍ରୟାସ।




