Breaking Newsବାଣିଜ୍ୟ

ସୁନା ଦରରେ ପୁଣି ନିଆଁ !

ଗତ କିଛି ବର୍ଷ ହେବ ସୁନା ଦରରେ ଲାଗି ରହିଛି ରେକର୍ଡ ବୃଦ୍ଧି। ୨୦୧୬ ମସିହାରେ ୧୦ ଗ୍ରାମ ସୁନାର ଦାମ୍ ଯେଉଁଠି ପ୍ରାୟ ୩୦ ହଜାର ଟଙ୍କା ଥିଲା, ୨୦୨୬ରେ ତାହା ପ୍ରାୟ ଦେଢ଼ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଦଶ ବର୍ଷରେ ପ୍ରାୟ ପାଞ୍ଚ ଗୁଣା ବଢ଼ିଛି ସୁନା ଦର। ତେବେ କାହିଁକି ବଢ଼ୁଛି ସୁନାର ଦାମ୍? ବିଶ୍ୱର ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣିବା ବୃଦ୍ଧି କରିବା, ଆନ୍ତର୍ଜାତୀୟ ଅସ୍ଥିରତା, ଭୂ-ରାଜନୈତିକ ଉତ୍ତେଜନା ଏବଂ ଆମେରିକାର ସୁଧହାର ନୀତି ସୁନା ଦର ବୃଦ୍ଧିର ପ୍ରମୁଖ କାରଣ। ଅନିଶ୍ଚିତତା ସମୟରେ ନିବେଶକମାନେ ସୁନାକୁ ସୁରକ୍ଷିତ ନିବେଶ ଭାବେ ବାଛୁଛନ୍ତି।

ମୋତିଲାଲ ଓସୱାଲଙ୍କ ଆକଳନ ଅନୁସାରେ, ଆଗାମୀ ୬ରୁ ୧୨ ମାସ ମଧ୍ୟରେ ଦେଶୀୟ ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧ ଲକ୍ଷ ୬୦ ହଜାରରୁ ୧ ଲକ୍ଷ ୬୮ ହଜାର ଟଙ୍କା ହୋଇପାରେ। ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ୪,୫୦୦ରୁ ୪,୭୦୦ ଡଲାର ପ୍ରତି ଆଉନ୍ସ ଛୁଇଁବାର ଆକଳନ ରହିଛି। ଏବେ ନଜର ପକାନ୍ତୁ ଦେଶର ପ୍ରମୁଖ ସହରଗୁଡ଼ିକରେ ସୁନା ଦର ଉପରେ। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୪୩ ହଜାର ୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୧ ହଜାର ୪୯୦ ଟଙ୍କା ରହିଛି।

ମୁମ୍ବାଇ ଓ କୋଲକାତାରେ ମଧ୍ୟ ସମାନ ଦର ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୪୩ ହଜାର ୬୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୧ ହଜାର ୬୪୦ ଟଙ୍କା ରହିଛି। ଅନ୍ୟପଟେ ରୁପା କିଲୋ ପିଛା ୨ ଲକ୍ଷ ୪ ହଜାର ୯୦୦ ଟଙ୍କାରେ ପହଞ୍ଚିଛି।

Related Articles

Back to top button