କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଛାତ୍ରୀଙ୍କୁ ବୀଭତ୍ସ ହତ୍ୟା

ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ନାରୀ । ଏବେ ଘରୁ ବାହାରିଲେ ଲାଗୁଛି ଭୟ । ପ୍ରତ୍ୟେକ ଦିନ ଦୁଷ୍କର୍ମ, ହତ୍ୟା, ଅସଦାଚରଣ ଅଭିଯୋଗର ଲମ୍ବା ଫର୍ଦ୍ଦ । ଘରେ କି ବାହାରେ କେଉଁଠି ବି ସୁରକ୍ଷିତ ନୁହେଁ ମହିଳା । ଆଉ ଆଜି ଯୁକ୍ତ ତିନି ଛାତ୍ରୀଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ।
ସୂଚନା ଅନୁସାରେ, ଗତକାଲି ରାତିରୁ ଛାତ୍ରୀ ଜଣକ ନିଖୋଜ ଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ଘର ପଛପଟ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା । ମୃତ ଛାତ୍ରୀ ମାର୍ଶାଘାଇ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି ।ମୃତ ଛାତ୍ରୀଙ୍କ ବେକ କଟାଯାଇଥିବା ଜଣାପଡ଼ିଛି ଘଟଣା ସମ୍ପର୍କରେ ଖବର ପାଇ ମାର୍ଶାଘାଇ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଛାତ୍ରୀଙ୍କୁ ହତ୍ୟା କଲା, ତାହା ଏବେ ବଡ଼ ପ୍ରଶ୍ନ । ହତ୍ୟା ପଛର କାରଣ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।



