ଅପରାଧଜାତୀୟ

ପ୍ରେମ ପାଇଁ ମିଳିଲା ମୃତ୍ୟୁ? ଜୀବନ ନେଲା ଭାଇ

ପ୍ରେମ କରିଥିଲେ… ନିଜ ଇଚ୍ଛାରେ ବିବାହ କରିଥିଲେ… ଆଉ ସେହି ବିବାହର ରାଗରେ ନିଜ ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ଉଠିଛି ଭାଇଙ୍କ ନାଁରେ। ଏହା କୌଣସି ଫିଲ୍ମର କାହାଣୀ ନୁହେଁ। ଏହା ହେଉଛି ଉତ୍ତରପ୍ରଦେଶର ମଥୁରାରୁ ସାମ୍ନାକୁ ଆସିଥିବା ଏକ ଛାତିଥରା ଘଟଣା।ମୁସଲମାନ ଯୁବତୀ ନାଜିଆ ହିନ୍ଦୁ ଯୁବକଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହକୁ ଗ୍ରହଣ କରିପାରିନଥିଲେ ପରିବାର ଲୋକେ। ଆଉ ଶେଷରେ ପ୍ରେମର ଏହି କାହାଣୀର ଅନ୍ତ ହୋଇଥିବା ଅଭିଯୋଗ ହୋଇଛି ରକ୍ତରେ।

ନାଁ ତାଙ୍କର ନାଜିଆ… ବୟସ ମାତ୍ର ୨୪ ବର୍ଷ। ଯିଏ ନିଜ ପାଇଁ ବାଛିଥିଲେ ନିଜ ଜୀବନସାଥୀ। ଦିଲ୍ଲୀର ଏକ କାରଖାନାରେ କାମ କରୁଥିବା ବେଳେ ରବୀନ୍ଦ୍ର କୁମାରଙ୍କ ସହ ହୋଇଥିଲା ତାଙ୍କର ପରିଚୟ। ଆଉ ଏହି ପରିଚୟ ଧୀରେ ଧୀରେ ପ୍ରେମର ରୂପ ନେଇଥିଲା। ପରିବାରର ବିରୋଧ ସତ୍ତ୍ୱେ ନିଜ ଧର୍ମ ପରିବର୍ତ୍ତନ କରି ରବୀନ୍ଦ୍ରଙ୍କୁ ବିବାହ କରିଥିଲେ ନାଜିଆ। ଦୁହେଁ ଦିଲ୍ଲୀରେ ଏକାଠି ରହୁଥିଲେ। ଆଖିରେ ଥିଲା ନୂଆ ସଂସାରର ସ୍ୱପ୍ନ। ହେଲେ ଏହି ସୁଖର ସଂସାରକୁ ଯେମିତି କାହାର ନଜର ଲାଗିଗଲା।

ପ୍ରାୟ ୧୦ ଦିନ ପୂର୍ବରୁ ପରିବାର ଲୋକେ ବିବାହକୁ ଗ୍ରହଣ କରିବେ ବୋଲି କହି ନାଜିଆଙ୍କୁ ଘରକୁ ଡାକିଥିଲେ। ପରିବାରର କଥାକୁ ବିଶ୍ୱାସ କରି ମଥୁରା ଫେରିଥିଲେ ନାଜିଆ।ହେଲେ ସେ ଜାଣିନଥିଲେ, ନିଜ ଘରକୁ ଫେରିବା ତାଙ୍କ ଜୀବନର ଶେଷ ଯାତ୍ରା ହୋଇପାରେ। ଘରକୁ ଫେରିବା ପରେ ହଠାତ୍ ନିଖୋଜ ହୋଇଯାଇଥିଲେ ନାଜିଆ। ବନ୍ଦ ହୋଇଯାଇଥିଲା ତାଙ୍କ ମୋବାଇଲ୍ ଫୋନ୍। ପତ୍ନୀଙ୍କ ସହ କୌଣସି ଯୋଗାଯୋଗ କରିନପାରି ଚିନ୍ତିତ ହୋଇପଡ଼ିଥିଲେ ସ୍ୱାମୀ ରବୀନ୍ଦ୍ର। ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ଆଉ ଏହାପରେ ସାମ୍ନାକୁ ଆସିଥିବା ହତ୍ୟା ଅଭିଯୋଗ ପୂରା ଘଟଣାକୁ ଦେଇଥିଲା ଏକ ଭୟଙ୍କର ମୋଡ଼।ପ୍ରଶ୍ନ ଉଠୁଛି… ଜଣେ ଯୁବତୀଙ୍କ ନିଜ ଜୀବନସାଥୀ ବାଛିବାର ଅଧିକାର କ’ଣ ଏତେ ବଡ଼ ଅପରାଧ? ଧର୍ମ, ଜାତି ଓ ପରିବାରର ଅହଂକାର ଆଗରେ କ’ଣ ହାରିଯିବ ମଣିଷପଣିଆ?ନାଜିଆ ଆଉ ଫେରିବେନି। ହେଲେ ତାଙ୍କ ମୃତ୍ୟୁ ଆମ ସମାଜ ପାଇଁ ଛାଡ଼ିଯାଇଛି ଅନେକ ଅସହଜ ପ୍ରଶ୍ନ। ପ୍ରେମ ଥିଲା ତାଙ୍କର ଅପରାଧ, ନା ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିବାର ସ୍ୱପ୍ନ?

Related Articles

Back to top button