
ଛନ୍ଦି ହୋଇପଡୁଛନ୍ତି ରାଜ୍ୟସଭାରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନେ । ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନୋଟିସ୍ର ଜବାବ ଦାଖଲ କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୪ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ପଡ଼ିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୧୧ ତାରିଖରେ ହେବ । ନୋଟିସ୍ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁର । ୫ଟି ରିଟ୍ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ତେବେ କ୍ରସ୍ ଭୋଟିଂ କରିଥିବା ଅନ୍ୟ ବିଜେଡି ବିଧାୟକଙ୍କୁ ଏଯାଏଁ ନୋଟିସ୍ ଜାରି ହୋଇନାହିଁ ।
ଗତ ଜୁନ୍ ମାସରେ ବିଜେଡି ପକ୍ଷରୁ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା । ହେଲେ ବାଚସ୍ପତି ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।ରାଜ୍ୟସଭା ନିର୍ବାଚନରେ ଦଳୀୟ ଆଭିମୁଖ୍ୟ ବିରୋଧରେ ଭୋଟ୍ ଦେବାକୁ ନେଇ ଉଠିଥିବା ବିବାଦ ଏବେ ନ୍ୟାୟିକ ପ୍ରକ୍ରିୟାରେ ପହଞ୍ଚିଛି । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଓ ବିଧାୟକମାନଙ୍କ ଜବାବ ଉପରେ ଏବେ ନଜର ରହିଛି ।




