Breaking Newsଓଡ଼ିଶାଦୁର୍ଘଟଣା

ଦୁର୍ଘଟଣାରେ ଚାଲିଗଲା ୨ ଯୁବ ଆଥଲେଟଙ୍କ ଜୀବନ, ଓଡ଼ିଶା କ୍ରୀଡ଼ା ଜଗତରେ ଶୋକ

ଅଧାରେ ରହିଗଲା ସ୍ୱପ୍ନ, ଅଧାରେ ରହିଗଲା ଖେଳ ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ିଶାର ଦୁଇ ଯୁବ ଆଥଲେଟ୍। ହସଖୁସିରେ ଥିବା ଦୁଇ ପରିବାର ଉପରେ ମାଡ଼ି ଆସିଛି ଦୁଃଖର ପାହାଡ଼। ମୃତକ ହେଉଛନ୍ତି ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଏହି ଦୁଃଖଦ ଖବର ପରେ ଓଡ଼ିଶା କ୍ରୀଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା।ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ଟୋୟୋଟା ଶୋ’ରୁମ୍ ସମ୍ମୁଖରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା।

ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଉଭୟଙ୍କ ମୃତଦେହ କଟକ ବଡ଼ ମେଡିକାଲ୍‌ରେ ରହିଛି।ସବୁଠାରୁ ଦୁଃଖର କଥା ହେଉଛି, ଉଭୟ ଜୟରାମ ଓ ମଳୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହାଇ ପରଫର୍ମାନ୍ସ ସେଣ୍ଟରରେ ରହି ଆଥଲେଟିକ୍ସ ପ୍ରଶିକ୍ଷଣ ନେଉଥିଲେ। ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବାର ସ୍ୱପ୍ନ ନେଇ ଆଗକୁ ବଢ଼ୁଥିବା ଏହି ଦୁଇ ଯୁବ ଖେଳାଳିଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଦୁଇ ଯୁବ ପ୍ରତିଭାଙ୍କ ଅକାଳ ବିୟୋଗରେ ଆଜି ସ୍ତବ୍ଧ ଓଡ଼ିଶାର କ୍ରୀଡ଼ା ଜଗତ। ଜୟରାମ ଓ ମଳୟଙ୍କ ଚାଲିଯିବା କେବଳ ଦୁଇଟି ପରିବାର ପାଇଁ ନୁହେଁ, ବରଂ ରାଜ୍ୟର କ୍ରୀଡ଼ା ଜଗତ ପାଇଁ ମଧ୍ୟ ଏକ ବଡ଼ କ୍ଷତି।

Related Articles

Back to top button