
ନବୀନ ନିବାସରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ର ଖେଳାଳି । ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ନବୀନ ନିବାସରେ ଆୟୋଜିତ ଏକ ସମାରୋହରେ ଉଭୟ ଦଳର ଖେଳାଳିଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ ମଧ୍ୟ ଉପସ୍ଥିତ ଥିଲେ।
ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ପାଇଁ ଗୌରବ ଆଣିଥିବା ବେଳେ, ଏହି ସଫଳତାକୁ ସ୍ୱୀକୃତି ଦେବା ସହ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି।ଭାରତୀୟ ହକିର ଗୌରବମୟ ଯାତ୍ରାରେ ଖେଳାଳିଙ୍କ ଏହି ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଆଉ ନବୀନ ନିବାସରେ ଆୟୋଜିତ ଏହି ସମାରୋହ ଖେଳାଳିଙ୍କ ସଫଳତାକୁ ସମ୍ମାନ ଜଣାଇବାର ଏକ ଅବସର ପାଲଟିଛି।
ଭାରତୀୟ ହକି ଟିମ୍ର ଏହି ସଫଳତା ଆଗାମୀ ଦିନରେ ଦେଶର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି। କ୍ରୀଡ଼ାରେ ସଫଳତା, ଦେଶ ପାଇଁ ଗୌରବ। ଆଉ ଏହି ଗୌରବର ନାୟକ ହେଉଛନ୍ତି ଆମ ଖେଳାଳି।




