Breaking Newsଓଡ଼ିଶା

ଶିକ୍ଷା ଓ ଯୁବବର୍ଗଙ୍କ ବିକାଶ ଉପରେ ଗୁରୁତ୍ୱ

ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଏହାକୁ ସ୍ୱାଗତ କରିଛି ରାଜ୍ୟ ବିଜେପି। ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।କ୍ୟାବିନେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ନେତୃତ୍ୱକୁ ସମ୍ମାନ ଜଣାଇ ଅଭିନନ୍ଦନ ସଂକଳ୍ପ ପାରିତ ହୋଇଥିବାରୁ ମଧ୍ୟ ବିଜେପି ସ୍ୱାଗତ କରିଛି।

ଶିକ୍ଷା କ୍ଷେତ୍ରରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ଏବଂ ଶିକ୍ଷକଙ୍କ ସେବା ନିୟମାବଳୀ ଓ ବରିଷ୍ଠତା ସମସ୍ୟାର ସମାଧାନ ଭଳି ପଦକ୍ଷେପକୁ ଦଳ ପ୍ରଶଂସା କରିଛି।ସେହିପରି ଚାଷୀଙ୍କୁ ସମୟୋଚିତ ସାର ଓ ବିହନ ଯୋଗାଣ ପାଇଁ ୧୩୬୦ କୋଟି ଟଙ୍କାର କର୍ପସ ପାଣ୍ଠି ଏବଂ ୪ ଲକ୍ଷ ୨୦ ହଜାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦକୁ ମଧ୍ୟ ସ୍ୱାଗତ କରାଯାଇଛି।

ସହରାଞ୍ଚଳର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ଷ୍ଟର୍ମ ୱାଟର ଡ୍ରେନେଜ୍ ଯୋଜନା ଏବଂ କଟକର ମହାନଦୀ ରିଭର ଫ୍ରଣ୍ଟ୍‌ର ବିକାଶକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛି ବିଜେପି।ଅନ୍ୟପଟେ କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୭୭ କୋଟି ଟଙ୍କା ବ୍ୟୟରେ ଡାଟା ସେଣ୍ଟର ପ୍ରତିଷ୍ଠା ନିଷ୍ପତ୍ତିକୁ ଦଳ ସ୍ୱାଗତ କରିଛି। ଏହା ଡିଜିଟାଲ୍ ଭିତ୍ତିଭୂମି, ସାଇବର ସୁରକ୍ଷା, ନବସୃଜନ ଓ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଦିଲୀପ ମଲ୍ଲିକ ଆଶା ପ୍ରକାଶ କରିଛନ୍ତି।

ଶିକ୍ଷାଠାରୁ ଆରମ୍ଭ କରି କୃଷି, ନିଯୁକ୍ତି, ସାଇବର ସୁରକ୍ଷା ଓ ଭିତ୍ତିଭୂମି ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କ୍ୟାବିନେଟ୍‌ର ନିଷ୍ପତ୍ତିକୁ ରାଜ୍ୟ ବିଜେପି ସ୍ୱାଗତ କରିଥିବା ବେଳେ, ଏହାର ସଫଳ କାର୍ଯ୍ୟକାରିତା ଉପରେ ଏବେ ରହିଛି ନଜର।

Related Articles

Back to top button