ବିଜେଡିର ଜନସମ୍ପର୍କ ପଦଯାତ୍ରା, ଡବଲ୍ ଇଞ୍ଜିନ୍ ସରକାରକୁ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଦେଖିବାକୁ ମିଳିଥିଲା ବିପୁଳ ଜନସମାଗମ। ଏହି ସମାବେଶରେ ଯୋଗଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାରକୁ କଟାକ୍ଷ କରିଥିଲେ।ନବୀନ କହିଥିଲେ, ବିଜେଡି ସରକାର ସମୟରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। କିନ୍ତୁ ବର୍ତ୍ତମାନର ସରକାରରେ ନିଜ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି ବୋଲି ସେ ଅଭିଯୋଗ କରିଥିଲେ।
ରାଜ୍ୟରେ ଚାଷୀ, ମହିଳା, ବୟସ୍କ, ଗରିବ ଓ ମଧ୍ୟବିତ୍ତଙ୍କ ସମସ୍ୟା ବଢ଼ୁଥିବା ବେଳେ ଯୁବପିଢ଼ି ତଥା ଜେନ୍-ଜିଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ନବୀନ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ସମାଲୋଚନା କରିବା ସହ ଅପାରଗତା କ୍ଷେତ୍ରରେ ଓଡ଼ିଶା ସରକାର ସାରା ଦେଶରେ ନମ୍ବର ୱାନ୍ ବୋଲି କଟାକ୍ଷ କରିଥିଲେ।ଏଥିସହ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ବୁଝିବା ସହ ସରକାରଙ୍କ ଅପାରଗତାକୁ ଲୋକଲୋଚନକୁ ଆଣିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ବିଜେଡି ସଭାପତି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଏବଂ ମନ୍ମଥ ରାଉତରାୟ ପ୍ରମୁଖ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।ସେହିପରି ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।ତେବେ ଜନସମ୍ପର୍କ ପଦଯାତ୍ରା ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହ ସରକାରଙ୍କ ବିରୋଧରେ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ।




