ବିଜେଡିର ଜନସମ୍ପର୍କ ପଦଯାତ୍ରା, ୩ ହଜାରରୁ ଊର୍ଦ୍ଧ୍ୱ କର୍ମୀ ସାମିଲ

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାକୁ ନେଇ କାଶୀପୁରରେ ଦେଖିବାକୁ ମିଳିଥିଲା ଦଳୀୟ କର୍ମୀଙ୍କ ଉତ୍ସାହ। ଟିକିରିସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳାଠାରୁ ବାହାରିଥିବା ଏହି ପଦଯାତ୍ରା ହାଟପଦାଠାରେ ପହଞ୍ଚିଥିଲା। ପଦଯାତ୍ରାରେ ଦଳର ବହୁ ବରିଷ୍ଠ ନେତା, ମହିଳା ନେତ୍ରୀ, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତାଙ୍କ ସମେତ ହଜାର ହଜାର କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବିଜେପି ସରକାର ଉପରେ ବର୍ଷିଥିଲେ।
ସେ କହିଥିଲେ, ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ନିଜ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି। ୩୦୦ ୟୁନିଟ୍ ମାଗଣା ବିଜୁଳି, ମାସିକ ୩ ହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଏବଂ ଚାଷୀଙ୍କ ସମସ୍ତ ବଳକା ଧାନ କ୍ରୟ ଭଳି ପ୍ରତିଶ୍ରୁତିକୁ ନେଇ ସେ ସରକାରଙ୍କୁ ସମାଲୋଚନା କରିଥିଲେ। ଏଥିସହ ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଏବଂ ପୂର୍ବ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ମଧ୍ୟ ସେ ନିଜର ମତ ରଖିଥିଲେ।
ଖଣି ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬କୁ ନେଇ ମଧ୍ୟ ନିଜର ମତ ରଖିଥିଲେ ସଞ୍ଜୟ ଦାସବର୍ମା।ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଲ୍ ମାଧ୍ୟମରେ ଓଡ଼ିଶାର ପ୍ରାକୃତିକ ସମ୍ପଦ ଉପରେ ରାଜ୍ୟର ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ରହିଛି। ଓଡ଼ିଶାର ହକ୍, ଅଧିକାର ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ ବିଜେଡି ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସେ କହିଥିଲେ।ସେ ଆହୁରି କହିଥିଲେ, ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଓଡ଼ିଶାର ସ୍ୱାଭିମାନ, ଜନସେବା ଓ ଜନସାଧାରଣଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼ୁଥିବା ଏକ ଆନ୍ଦୋଳନ।
ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ଝୀନ ହିକକା, ବରିଷ୍ଠ ନେତା ସୁଧୀର ଦାସ, ଜଗଦୀଶ ପାତ୍ର ଏବଂ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲିଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।




