Uncategorized
ଫ୍ଲାଏଦୁବାଇ ଆକ୍ରମଣକୁ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି ସ୍ବୀକାର କଲା ୟୁଏଇ


ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଜଣେ ବରିଷ୍ଠ ଅଧିକାରୀ ଫ୍ଲାଏଦୁବାଇ ବିମାନ ‘ଏଫ୍ଜେଡ୍୧୦୭୩’ରେ ଘଟିଥିବା ଆକ୍ରମଣକୁ ଏକ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି ସ୍ବୀକାର କରିଛନ୍ତି। ଏହାସହିତ ମଝି ଆକାଶରେ ସହ-ପାଇଲଟଙ୍କ ଛୁରାମାଡ଼ ସତ୍ତ୍ୱେ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛର ଯେଉଁଭଳି ଭାବେ ବିମାନ ଓ ଯାତ୍ରୀଙ୍କୁ ସୁରକ୍ଷିତ ରଖିବାକୁ ଲଢ଼ିଥିଲେ, ତାହାର ଭୂୟସୀ ପ୍ରଶଂସା କରାଯାଇଛି। ୟୁଏଇ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଅନୱର ଗାରଗାସ୍ କହିଛନ୍ତି ଯେ, କ୍ୟାପ୍ଟେନ୍ ମାଚ୍ଛର ଅତ୍ୟନ୍ତ ଦୃଢ଼ତାର ସହ ଆତଙ୍କବାଦୀଙ୍କ ଚକ୍ରାନ୍ତକୁ ପଣ୍ଡ କରିବା ସହ ଏକ ବଡ଼ ଧରଣର ବିପର୍ଯ୍ୟୟକୁ ଏଡ଼ାଇ ଦେଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ (X)ରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, “ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା ପାଇଁ ସଦାସର୍ବଦା ସତର୍କତା ଆବଶ୍ୟକ।” ଉଲ୍ଲେଖଯୋଗ୍ୟ ଯେ, ଫ୍ଲାଏଦୁବାଇ ଘଟଣା ପରେ ପ୍ରଥମ ଥର ପାଇଁ ୟୁଏଇ ସରକାରୀ ସ୍ତରରେ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ ଭାବେ ମାନିଛନ୍ତି।




