ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ: ମେଡିକାଲ କଲେଜରେ ମୁତୟନ ହେବେ ସ୍ୱତନ୍ତ୍ର ସିକ୍ୟୁରିଟି ଅଫିସର


ଭୁବନେଶ୍ୱର: କର୍ମକ୍ଷେତ୍ରରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡାକ୍ତରମାନେ ବିନା ଭୟରେ ରୋଗୀ ସେବା କରିପାରିବେ। ଆକ୍ରମଣ ଓ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସିକ୍ୟୁରିଟି ଅଫିସର ନିଯୁକ୍ତ କରିବାକୁ ଯାଉଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ, ରାଜ୍ୟର ୧୪ଟି ମେଡିକାଲ କଲେଜରେ ଅତିରିକ୍ତ ଏସପି (ASP), ଡିଏସପି (DSP) କିମ୍ବା ଡେପୁଟି କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କୁ ସିକ୍ୟୁରିଟି ଅଫିସର ଭାବେ ନିଯୁକ୍ତି ଦିଆଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଗୁଡ଼ିକରେ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ମିଳିବ। ଏହା ସହିତ ପ୍ରତି ମେଡିକାଲ କଲେଜ ପରିସରରେ ଏକ ସ୍ୱତନ୍ତ୍ର ପୋଲିସ ଆଉଟପୋଷ୍ଟ ବା ଫାଣ୍ଡି ମଧ୍ୟ ସ୍ଥାପନ କରାଯିବ। ଅନେକ ସମୟରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଆକ୍ରମଣ କରୁଥିବା ନଜିର ରହିଛି। ଏଭଳି ଘଟଣା ଯୋଗୁଁ ଡାକ୍ତରମାନେ ସର୍ବଦା ଚିନ୍ତାରେ ରହୁଥିଲେ। ବର୍ତ୍ତମାନ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୨୪ ଘଣ୍ଟା କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମିଳିବ ଏବଂ ହସ୍ପିଟାଲ ପରିସରରେ ଶୃଙ୍ଖଳା ବଜାୟ ରହିବ।




