ଲଗାଣ ବର୍ଷାରେ ଅଶାନ୍ତ ପୁରୀ ସମୁଦ୍ର: ବେଳାଭୂମିରେ ଲାଗିଲା ରେଡ୍ଫ୍ଲାଗ୍

ପୁରୀ: ଲଗାଣ ପ୍ରବଳ ବର୍ଷା ଯୋଗୁଁ ପୁରୀ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଳାଭୂମିରେ ରେଡ୍ ଫ୍ଲାଗ୍ (ଲାଲ୍ ପତାକା) ଲଗାଯାଇଛି। ଏହାସହ ସମୁଦ୍ର ସ୍ନାନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ବେଳାଭୂମିରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯାଇଛି। ବିପଜ୍ଜନକ ସମୁଦ୍ର ଭିତରକୁ ନଯିବା ପାଇଁ ମାଇକ୍ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ବାରମ୍ବାର ସଚେତନ କରାଯାଉଛି। ପାଗରେ ସୁଧାର ନଆସିବା ପର୍ଯ୍ୟନ୍ତ ସମୁଦ୍ର ସ୍ନାନରୁ ବିରତ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ କରାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୋକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ସେଠାରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି। ସହର ଓ ଗ୍ରାମାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ସ୍ୱତନ୍ତ୍ର ପମ୍ପ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି। ପ୍ରଶାସନ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଆବଶ୍ୟକ ନଥିଲେ ଘରୁ ନବାହାରିବା ଏବଂ ସରକାରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।




