ଓଡ଼ିଶାପାଣିପାଗ

ବାତ୍ୟା ଛନକା: ସଜାଗ ପ୍ରଶାସନ । ହେଡ୍‌କ୍ୱାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ବଢିଲା ବାତ୍ୟା ଛନକା। ଆଣ୍ଡାମାନ ସାଗରରେ ସୃଷ୍ଟିହେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରର ରୂପ ନେଇଛି ଘୂର୍ଣ୍ଣିବଳୟ। ଗତକାଲି ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ। ଆଉ ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ମୁକାବିଲା କରିବାକୁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସମ୍ଭାବ୍ୟ ପରିସ୍ଥିତିରେ ଯେପରି ଜନଜୀବନ ପ୍ରଭାବିତ ନହୁଏ, ସେଥିପାଇଁ ବିଭିନ୍ନ ବିଭାଗକୁ ସଜାଗ ରଖାଯାଇଛି । ଗଞ୍ଜାମ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିଜ ହେଡ୍‌କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଧିକାରୀମାନେ ପ୍ରସ୍ତୁତ ରହିବେ । ସ୍ଥାନୀୟ ପ୍ରଶାସନକୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ପାଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ମଧ୍ୟ ସତର୍କ କରାଯାଇଛି ।ବିନା କାରଣରେ ଘରୁ ବାହାରକୁ ନବାହାରିବା ସହ ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବିଶେଷକରି ବର୍ଷା ଓ ବଜ୍ରପାତ ସମୟରେ ଅତ୍ୟାବଶ୍ୟକ କାମ ନଥିଲେ ବାହାରକୁ ନଯିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ସହ ତହସିଲ, ବ୍ଲକ, ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସଜାଗ କରାଯାଇଛି । ଯେକୌଣସି ଆପତ୍‌କାଳୀନ ପରିସ୍ଥିତିରେ ତୁରନ୍ତ ସେବା ଯୋଗାଇବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପରିସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇପାରେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପାଣିପାଗର ସ୍ଥିତି ଅନୁଧ୍ୟାନ ପରେ ଏନେଇ ନିଷ୍ପତ୍ତି ନିଆଯିବ। ଏଥିସହ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଗ ଓ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇପାରିବ । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ଗଞ୍ଜାମ ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି ।

Related Articles

Back to top button