ମହିଳାଙ୍କୁ ଅପହରଣ ଉଦ୍ୟମ : ଦୁଇ ଗିରଫ


ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଫିଲ୍ମ ଷ୍ଟାଇଲରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିବାକୁ ଉଦ୍ୟମ କରାଯାଇଛି। ତେବେ ଗ୍ରାମବାସୀଙ୍କ ସାହସିକତା ଓ ତୁରନ୍ତ ପଦକ୍ଷେପ ଯୋଗୁଁ ଅପହରଣ ଉଦ୍ୟମ ପଣ୍ଡ ହେବା ସହ ଦୁଇ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଦୁଇ ଜଣ ଯୁବକ ରାସ୍ତାରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଜୋରଜବରଦସ୍ତି ଟାଣି ନେବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ଗ୍ରାମବାସୀମାନେ ଏକାଠି ହୋଇ ଘଟଣାର ପ୍ରତିରୋଧ କରିଥିଲେ ଏବଂ ଅପହରଣକାରୀ ଦ୍ୱୟଙ୍କୁ କାବୁ କରିଥିଲେ। ପରେ ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରାଯିବା ସହ ଉଭୟଙ୍କୁ ଧର୍ମଶାଳା ପୁଲିସ ନିକଟରେ ସମର୍ପଣ କରାଯାଇଛି। ଏହି ସାଂଘାତିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମହିଳାଙ୍କୁ ଅପହରଣ କରିବା ପଛରେ କି କାରଣ ରହିଛି ଏବଂ ଅଭିଯୁକ୍ତମାନେ ବନ୍ଧୁକ କେଉଁଠାରୁ ଆଣିଥିଲେ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।




