ରାଜ୍ୟ କ୍ୟାବିନେଟର ଐତିହାସିକ ନିଷ୍ପତ୍ତି: ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ୧୫,୯୪୮ କୋଟି ମଞ୍ଜୁର


ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ସଞ୍ଚାରଣ ଭିତ୍ତିଭୂମିକୁ ସୁଦୃଢ଼ ଓ ସମ୍ପ୍ରସାରିତ କରିବା ପାଇଁ ୧୫,୯୪୮.୭୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତର ସର୍ବବୃହତ ଏକକ ପୁଞ୍ଜିନିବେଶ ଅଟେ। ରାଜ୍ୟର ଦୀର୍ଘମିଆଦୀ ଅର୍ଥନୈତିକ ବିକାଶ, ଶିଳ୍ପ ଅଭିବୃଦ୍ଧି ଏବଂ ଅକ୍ଷୟ ଶକ୍ତିର ସମନ୍ଵୟ ପାଇଁ ଏକ ନିର୍ଭରଯୋଗ୍ୟ ତଥା ଭବିଷ୍ୟତ-ଉପଯୋଗୀ ଟ୍ରାନ୍ସମିସନ୍ ନେଟୱାର୍କ ଗଠନ ଦିଗରେ ଏହା ସରକାରଙ୍କ ଏକ ବଡ଼ ପଦକ୍ଷେପ। ରାଜ୍ୟରେ ପ୍ରଥମ ଥର ପାଇଁ ୭୬୫ କେଭି (KV) ଟ୍ରାନ୍ସମିସନ୍ ନେଟୱାର୍କ ସ୍ଥାପନ କରାଯିବ। ଏଥିପାଇଁ ଖୁଣ୍ଟୁଣି, ଡୁବୁରି ଏବଂ କୋଲାବିରାରେ ୩ଟି ନୂତନ ୭୬୫ କେଭି ଗ୍ରୀଡ୍ ସବ୍-ଷ୍ଟେସନ୍ ନିର୍ମାଣ କରାଯିବାକୁ ଯୋଜନା ରହିଛି। ବର୍ତ୍ତମାନ ରାଜ୍ୟରେ ୫ଟି ୪୦୦ କେଭି ଗ୍ରୀଡ୍ ସବ୍-ଷ୍ଟେସନ୍ କାର୍ଯ୍ୟକ୍ଷମ ଥିବା ବେଳେ ୬ଟି ନିର୍ମାଣାଧୀନ ରହିଛି। ଏହାସହ କାଂସବାହାଲ ଓ ଟିଟିଲାଗଡ଼ରେ ଆଉ ୨ଟି ନୂଆ ଗ୍ରୀଡ୍ ସବ୍-ଷ୍ଟେସନ୍କୁ ମଞ୍ଜୁରୀ ମିଳିଛି। ଏହି ନୂତନ ଅନୁମୋଦନ ଫଳରେ ୪୦୦ କେଭି ଗ୍ରୀଡ୍ ସବ୍-ଷ୍ଟେସନ୍ ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୩ରେ ପହଞ୍ଚିବ। ଏହାଦ୍ୱାରା OPTCLର ୪୦୦ କେଭି ନେଟୱାର୍କ ଝାରସୁଗୁଡ଼ାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରିବ।


