Uncategorized

ଆଜି ମୂଳାଷ୍ଟମୀ: ଶକ୍ତିପୀଠଗୁଡ଼ିକରେ ଆରମ୍ଭ ହେଲା ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଭୁବନେଶ୍ୱର: ଆଜି ପବିତ୍ର ମୂଳାଷ୍ଟମୀ। ଏହି ଅବସରରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକରେ ମା’ଙ୍କ ଆରାଧନା ପାଇଁ ସ୍ୱତନ୍ତ୍ର ପୂଜାନୀତି ଆରମ୍ଭ ହୋଇଛି। ମୂଳାଷ୍ଟମୀ ସହ ପାର୍ବଣର ଆଧ୍ୟାତ୍ମିକ ପରିବେଶ ଅଧିକ ଗଭୀର ହୋଇଥିବା ବେଳେ ପ୍ରତ୍ୟେକ ଦେବୀପୀଠରେ ମା’ଙ୍କ ୧୬ ଦିନିଆ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା, ମନ୍ତ୍ରୋଚ୍ଚାରଣ ଓ ଶଙ୍ଖ ନାଦରେ ସାରା ରାଜ୍ୟର ପୀଠଗୁଡ଼ିକ ଏବେ ମୁଖରିତ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ବିଶେଷ ନୀତିକାନ୍ତି ଶୁଭାରମ୍ଭ ହୋଇଛି। ଘଟ ପ୍ରତିଷ୍ଠା ପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଚାଲୁ ରହିଛି। ଆସନ୍ତାକାଲିଠାରୁ ଭକ୍ତମାନେ ମା’ଙ୍କର ବିଭିନ୍ନ ମନୋରମ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। ମା’ଙ୍କ କୃପା ଲାଭ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଗଲାଣି। ସେହିପରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ମଧ୍ୟ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ମା’ଙ୍କ ପବିତ୍ର ସହସ୍ର କୁମ୍ଭାଭିଷେକ ସମ୍ପନ୍ନ ହୋଇଥିବା ବେଳେ ୧୦୮ ସୁବାସିତ ଜଳରେ ସ୍ନାନ ପରେ ଶୟନରତ ଦେବୀଙ୍କୁ ଜାଗ୍ରତ କରାଯାଇଛି। ଏହି ଦିବ୍ୟ ମୁହୂର୍ତ୍ତରେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି।

Related Articles

Back to top button