ଲାଲଜୀ ଦେଶାଇ ହେଲେ ନୂଆ ଏଆଇସିସି ପ୍ରଭାରୀ
ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର ସାଙ୍ଗଠନିକ ଭିତ୍ତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ହାଇକମାଣ୍ଡ ନେଇଛନ୍ତି ବଡ଼ ନିଷ୍ପତ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଗୁଜରାଟର ବରିଷ୍ଠ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନ ନେବେ। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି। ଲାଲଜୀ ଦେଶାଇ କଂଗ୍ରେସ ଦଳର ଜଣେ ଅତ୍ୟନ୍ତ ଦକ୍ଷ ଏବଂ ଅଭିଜ୍ଞ ସାଙ୍ଗଠନିକ ନେତା ଭାବେ ଜଣାଶୁଣା। ସେ ୨୦୧8 ମସିହାରୁ ଅଖିଳ ଭାରତୀୟ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଉଛନ୍ତି। ଦଳର ସାଙ୍ଗଠନିକ ବିସ୍ତାର, ତୃଣମୂଳ ସ୍ତରର କର୍ମୀ ପ୍ରଶିକ୍ଷଣ, ସଦସ୍ୟତା ଅଭିଯାନ ଏବଂ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ କଂଗ୍ରେସ ୱାର୍କିଂ କମିଟି (CWC)ର ଜଣେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମଧ୍ୟ ଅଟନ୍ତି।




