ଓଡ଼ିଶାରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ସାଇବର ଥାନାରେ ଏତଲା ଦେଲା ବିଜେପି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ଯୁବକ
ଜଣକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦ୍‌ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁଲଜ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେଇ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ସବୁ ପୋଷ୍ଟ କରୁଛନ୍ତି, ଯାହା ଏକ ଦଣ୍ଡନୀୟ ଅପରାଧ । ସାମ୍ବାଦିକତାର ମୂଲ୍ୟବୋଧ ଜାଣି ନଥିବା ଏଭଳି ବ୍ୟକ୍ତିଜଣକ ସାମାଜିକ ଗଣମାଧ୍ୟମରେ ଅସାମ୍ବିଧାନିକ, ଅପମାନଜନକ, ଅଶ୍ଳୀଳ ଏବଂ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ପୋଷ୍ଟ କରି ସମାଜରେ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛନ୍ତି । ଆଜିର ଡିଜିଟାଲ ଯୁଗରେ ଏଭଳି କାର୍ୟ୍ୟ ଆଦୈା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଉପସଭାପତି ଯତୀନ ମହାନ୍ତି କହିଛନ୍ତି ।

ଗଣମାଧ୍ୟମକୁ ସୁଚନା ଦେଇ ଯତୀନ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଅପଚେଷ୍ଟା କରୁଥିବା ସୁନୀଲ ଜେନାଙ୍କ ବିରୋଧରେ ସାଇବର ଆଇନ ଅନୁସାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ । ସାମ୍ବାଦିକ ବୋଲି ନିଜକୁ ପରିଚୟ ଦେଇ ସାମ୍ବାଦିକତା ପେଶାକୁ ବଦ୍‌ନାମ କରୁଥିବା ଏଭଳି ବ୍ୟକ୍ତିଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ନିହାତି ଆବଶ୍ୟକ । ଏ ସଂପର୍କରେ ଶୁକ୍ରବାର ଭୁବନେଶ୍ୱର ସାଇବର ଥାନାରେ ବିଜେପି ତରଫରୁ ଏତଲା ଦିଆଯାଇଛି ଏବଂ ଏତଲା ଆଧାରରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧିଦଳକୁ ଥାନାଧିକାରୀ ପ୍ରତିଶୃତି ଦେଇଥିବା ଯତୀନ କହିଛନ୍ତି ।

Related Articles

Back to top button