ଓଡ଼ିଶାପାଣିପାଗ

ପାଣିଚିଆ ହେବ ଦୁର୍ଗାପୂଜା ! ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦିନରେ ଡହଡହ ଖରା । ଏତେ ଜୋରରେ ହେଉଛି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । କିନ୍ତୁ ଦିନ ଦ୍ୱିପହରରେ ଘୋଟି ଆସୁଛି କଳାବାଦଲ । ଧଳା ଆକାଶ ହଠାତ ନୀଳ ଆକାଶରେ ପରିଣତ ହେଇଯାଉଛି । ଆଉ ପ୍ରବଳ ବର୍ଷା କାଚୁଛି । ଠିକ ସେମିତି ଦୁର୍ଗାପୂଜା ଆରମ୍ଭରୁ ଆଜି ଭିଜିଛି ରାଜଧାନୀ । ଦିନ ଦ୍ୱିପହରରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଛି । ହଠାତ୍ ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ଧୀର ହୋଇଥିବା ବେଳେ ବିଭିନ୍ନ ଛକରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି।

ଆଜି ମହାଷ୍ଠମୀରୁ ଦୁର୍ଗାପୂଜା ଆରମ୍ଭ ହୋଇଥିବାରୁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ତେବେ ପୂଜାର ପ୍ରଥମ ଦିନରେ ହଠାତ୍ ବର୍ଷା ଦାଉ ସାଧିଛି। ପ୍ରବଳ ବର୍ଷା ଯୋଗୁଁ ପୂଜା ମାହୋଲ ସାମାନ୍ୟ ଫିକା ପଡ଼ିବା ଆଶଙ୍କା ରହିଛି। ବର୍ଷା ମଧ୍ୟରେ ଅନେକ ଲୋକ ପୂଜାମଣ୍ଡପ ଓ ବଜାର ଅଭିମୁଖେ ବାହାରିଥିବାରୁ ରାସ୍ତାରେ ଗାଡ଼ି ଚାପ ମଧ୍ୟ ବଢ଼ିଛି।ଅନ୍ୟପଟେ ବର୍ଷା ଯୋଗୁଁ ରାଜଧାନୀର କିଛି ଅଞ୍ଚଳରେ ରାସ୍ତାଘାଟରେ ପାଣି ଜମିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି। ପୂଜା ସମୟରେ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭିଡ଼ ବଢ଼ୁଥିବାରୁ ବର୍ଷା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଅନେକ ସ୍ଥାନରେ ଲୋକେ ବର୍ଷାରୁ ବର୍ତ୍ତିବା ପାଇଁ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ଦେଖାଯାଇଛି। ସେପଟେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି।

ଏଥିରେ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲା ରହିଛି। ତେଣୁ ପୂଜା ସମୟରେ ଘରୁ ବାହାରୁଥିବା ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଦୁର୍ଗାପୂଜାକୁ ନେଇ ରାଜଧାନୀରେ ଉତ୍ସାହ ଚରମରେ ଥିବା ବେଳେ ବର୍ଷା ଏବେ ପୂଜା ଆୟୋଜକ, ବ୍ୟବସାୟୀ ଓ ଶ୍ରଦ୍ଧାଳୁଙ୍କ ଚିନ୍ତା ବଢ଼ାଇଛି । ଆଗାମୀ ଦିନରେ ପାଗ କିଭଳି ରହୁଛି ଏବଂ ବର୍ଷା ପୂଜା ମାହୋଲକୁ କେତେ ପ୍ରଭାବିତ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Related Articles

Back to top button