ଓଡ଼ିଶାବାଣିଜ୍ୟ

ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ OPHWC ପକ୍ଷରୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ 

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ଓଡ଼ିଶା ସରକାର ଅଧୀନସ୍ଥ ଗୃହ ବିଭାଗ, ରାଜ୍ୟ ସରକାରୀ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି ଯାହାକି ନିଗମର ଇତିହାସରେ ସର୍ବାଧିକ ଲାଭାଂଶ ପ୍ରଦାନ । ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ-ପରିଚାଳନା ନିର୍ଦ୍ଦେଶକ, ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ (ଭା.ପୁ.ସେ) ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ୍ ଶର୍ମା, ଭା.ପୁ .ସେ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗତ କିଛି ବର୍ଷ ଧରି ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ କାର୍ଯ୍ୟଦକ୍ଷତା ଓ ଆର୍ଥିକ ପରିଚାଳନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୫–୨୬ରେ  ନିଗମ ପ୍ରାୟ ୧,୫୨୦ କୋଟି ଟଙ୍କାର କାରବାର କରିଥିବା ବେଳେ, ଏହା ପୂର୍ବ ବର୍ଷର ୧,୩୬୬ କୋଟି ଟଙ୍କା କାରବାର ତୁଳନାରେ ପ୍ରାୟ ୧୧ ଶତକଡା ବୃଦ୍ଧି ଯାହାକି ନିଗମର  ଇତିହାସରେ ସର୍ବାଧିକ କାରବାର । ଏକ ସ୍ୱୟଂସମ୍ପୂର୍ଣ୍ଣ ରାଜ୍ୟ ସରକାରୀ ଉଦ୍ୟୋଗ ଭାବେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ନିଜସ୍ୱ ସମ୍ବଳରେ ସମସ୍ତ ଆର୍ଥିକ ଦାୟିତ୍ୱ ସମାପନ କରିବା ସହିତ ଆର୍ଥିକ ବର୍ଷ ୨୦୧୪–୧୫ ଠାରୁ ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରିଆସୁଛି। ଚଳିତ ବର୍ଷର ଲାଭାଂଶ ସହିତ ରାଜ୍ୟ ସରକାରଙ୍କୁ ନିଗମ ମୋଟ ଲାଭାଂଶ ପ୍ରଦାନ ୮୬.୦୫ କୋଟି ଟଙ୍କାରେ ପହଞ୍ଚିଛି ।

ନିର୍ମାଣ କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ ଏବଂ ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା ରାଜ୍ୟ ଅରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ହାସଲ କରିଛି। ନୀତି ଆୟୋଗ ଅଧୀନସ୍ଥ କନଷ୍ଟ୍ରକ୍ସନ୍ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କାଉନସିଲ୍ (CIDC) ପକ୍ଷରୁ ୨୦୨୫ ମସିହାରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ଭବନ ଏବଂ ୨୦୨୬ ମସିହାରେ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ନୂତନ ଛାତ୍ରାବାସ ନିର୍ମାଣ ପାଇଁ କର୍ପୋରେସନକୁ ସମ୍ମାନଜନକ ‘ବିଶ୍ଵକର୍ମା ପୁରସ୍କାର’ ପ୍ରଦାନ କରାଯାଇଛି।

ବର୍ତ୍ତମାନ ନିଗମ କଟକର ତାରକସି ହବ୍, ଭୁବନେଶ୍ୱରର ଏକ୍ସାଇଜ୍ ଭବନ, ଗୋପବନ୍ଧୁ ପ୍ରଶାସନ ଏକାଡେମୀ ଛାତ୍ରାବାସ, ବିଭିନ୍ନ ସ୍ଥାନରେ ଟ୍ରକ୍ ଟର୍ମିନାଲ, ଭୁବନେଶ୍ୱର ନୂତନ ମଡେଲ ଜେଲ୍, ଯାଜପୁର ଜିଲ୍ଲା କାରାଗାର, ପାରାଦୀପ ବ୍ଲୁ ଫ୍ଲାଗ୍ ବିଚ୍, ଡୁମଡୁମା ଜଳପ୍ରପାତ ଓ ଜିରାଙ୍ଗ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ସଫଳତାର ସହ ନିର୍ବାହ କରୁଛି। ଏହା ସହିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ରାଜ୍ୟବ୍ୟାପୀ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ମଧ୍ୟ ନିଗମ ଦ୍ୱାରା କରାଯାଉଛି। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ରାଜ୍ୟର ଭିତ୍ତିଭୂମି ବିକାଶରେ ଏକ ଅଗ୍ରଣୀ ସରକାରୀ ଉଦ୍ୟୋଗ ଭାବେ ନିଜର ଭୂମିକା ସୁଦୃଢ଼ କରିଚାଲିଛି ।

 

Related Articles

Back to top button