
ଭୁବନେଶ୍ୱର, ୦୫/୦୬/୨୦୨୬: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଶୁକ୍ରବାର ଆନୁଷ୍ଠାନିକ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ନାମାଙ୍କନ ଭରିବା ପରେ ଦେବାଶିଷ ପୂର୍ବତନ ଦଳ ବିଜେଡି ଉପରେ ବର୍ଷିବା ସହ ଏକ ବିସ୍ଫୋରକ ବୟାନ ଦେଇଛନ୍ତି।
ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ବିଜେଡିର ଭାଡ଼ି ସମ୍ପୂର୍ଣ୍ଣ ଭାବେ ଖାଲି ହେବାରେ ଲାଗିଛି। ଆଗାମୀ ଦିନରେ ରାଜନୀତିରେ କ’ଣ ସବୁ ଘଟୁଛି, ତାହା କେବଳ ଦେଖନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ଅଧିକରୁ ଅଧିକ ନେତା ଭାଜପାକୁ ଆସିବେ, କାରଣ ଏଠାରେ କାର୍ଯ୍ୟ କରିବା ପାଇଁ ଅଧିକ ସୁଯୋଗ ରହିଛି। ଭାରତୀୟ ଜନତା ପାର୍ଟିରେ ରହି ଲୋକଙ୍କ ସେବା କରିବାର ସୁବିଧା ବହୁତ ଅଧିକ ଅଛି। ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର ଥିବାରୁ ସେ ଜନସାଧାରଣଙ୍କ ପାଇଁ ଅଧିକ ଭଲ କାମ କରିପାରିବେ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି।
ସେପଟେ ବିଜେଡିର ବର୍ତ୍ତମାନର ସ୍ଥିତିକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡି ଏବେ ସମ୍ପୂର୍ଣ୍ଣ ଭାବେ ବିଲୟ ମୁହାଁ’ ବୋଲି କହି ସେ ତୀବ୍ର ଟାର୍ଗେଟ୍ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଯାଇଛନ୍ତି।
ଯେଉଁଭଳି ଭାବେ ଜଣକ ପରେ ଜଣେ ପ୍ରତିଷ୍ଠିତ ନେତା ଦଳ ଛାଡ଼ୁଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡିର ଗୋଟିଏ ପରେ ଗୋଟିଏ ୱିକେଟ୍ର ପତନ ଘଟୁଛି ଏବଂ ଖୁବ୍ ଶୀଘ୍ର ସମଗ୍ର ଦଳ ‘ଅଲ୍ଆଉଟ୍’ ହେବାକୁ ଯାଉଛି। କୌଣସି ସ୍ପଷ୍ଟ ବିଚାରଧାରା ନଥାଇ କେବଳ କ୍ଷମତା ସର୍ବସ୍ୱ ହୋଇ ରହିଥିବା ଦଳ କେବେ ହେଲେ ସମାଜରେ ଦୀର୍ଘାୟୁ ହୋଇପାରିନାହିଁ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।




