ସଫେଇ ଦେଲେ ରାଜ୍ୟପାଳ | ମୁଁ ସେପରି କିଛି କହିନି

ସଫେଇ ଦେଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରିଜ ମୋହନ ରାମ | କାରଣ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଏକ ମନ୍ତବ୍ୟ ଦେଇଥିଲେ | ଯାହାକି ରାଜନୈତିକ ମହଲରେ ବିବାଦ ସୃଷ୍ଟି ହୋଇଥିଲା | ଆଉ ବିବାଦ ପରେ ସଫେଇ ରଖିଛନ୍ତି ରାଜ୍ୟପାଳ । କହିଛନ୍ତି, ମତେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ମୁଁ ସାମ୍ବିଧାନିକ ପରିଧି ଭିତରେ ରହି କାମ କରିବି। ସମସ୍ତଙ୍କ ସହ ସମନ୍ବୟ ରକ୍ଷା କରି ନିଜ ଦାୟିତ୍ବ ତୁଲାଇବି । ଜଣେ ରାଜନେତା ଏବଂ ଏକ ସାମ୍ବିଧାନିକ ପଦବୀ ମଧ୍ୟରେ ଫରକ୍ ରହିଛି । ଏହାକୁ ବଜାୟ ରଖି କାମ କରିବାକୁ ପଡ଼ିବ ।
ଓଡ଼ିଶାରେ ବିଜେପିର ସଙ୍ଗଠନକୁ ମଜଭୁତ କରିବା ପାଇଁ କାମ କରିବା କଥା ବୟାନକୁ ନେଇ ନୂଆ ରାଜ୍ୟରାଳ ବ୍ରିଜ ମୋହନ କହିଛନ୍ତି, ମୁଁ ସେପରି କିଛି କହିନି । ମୁଁ କହିଥିଲି ଯେ ମୁଁ ସମସ୍ତଙ୍କ ସହ ମିଶି କାମ କରିବି । ମୁଁ ବର୍ତ୍ତମାନ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ, କିନ୍ତୁ ମୁଁ ଯେଉଁ ଦଳର ସଦସ୍ୟ ତାହା ମୋର ପୁଞ୍ଜି । ସେହି ଦଳ ପ୍ରତି ମୋର ସର୍ବଦା ଆନୁଗାତ୍ୟ ଏବଂ ଭଲପାଇବା ରହିବ । କିନ୍ତୁ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ ।




