
ଭୁବନେଶ୍ୱର, ୦୪/୦୬/୨୦୨୬: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀର ତାଳବଣିଆଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ଉଦ୍ଘାଟନ କରିବା ସହ ରାଜ୍ୟରେ ପ୍ରାୟ ୧୯୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ବିଭିନ୍ନ ପୋଲିସ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ଵାରା ଏହି ସମସ୍ତ ପ୍ରକଳ୍ପ ନିର୍ମାଣ କରାଯାଇଛି।
ମୁଖ୍ୟମନ୍ତ୍ରୀ ଆଭାସୀ (Virtual) ମାଧ୍ୟମରେ ରାଜ୍ୟର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପୋଲିସ କାର୍ଯ୍ୟାଳୟ ଓ ବାସଗୃହର ମଧ୍ୟ ଲୋକାର୍ପଣ କରିଛନ୍ତି, ଯେଉଁଥିରେ ସାମିଲ ରହିଛି:
-
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ SDPO କାର୍ଯ୍ୟାଳୟ।
-
ଯାଜପୁରର ବ୍ରହ୍ମବରଦା ଥାନାର ନୂତନ ଗୃହ।
-
କୋରାପୁଟସ୍ଥିତ ତୃତୀୟ ବାଟାଲିୟନର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହ।
-
ପୋଲିସ କର୍ମଚାରୀମାନଙ୍କ ବାସଗୃହ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ଵର, କଟକ ଓ ଯାଜପୁରରେ ସର୍ବମୋଟ ୬୫୮ଟି (D, E, F ପ୍ରକାରର) ପୋଲିସ ଆବାସିକ ଗୃହ।
ନବନିର୍ମିତ ଥାନାଗୁଡ଼ିକରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ସ୍ଵାଗତ କକ୍ଷ, ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍, ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ସୂଚନା କେନ୍ଦ୍ର ଏବଂ ମହିଳା ଓ ଶିଶୁ ସହାୟତା କେନ୍ଦ୍ର ସହ ୨୪ ଘଣ୍ଟିଆ ସିସିଟିଭି (CCTV) ନଜର ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଜନ-ଅଭିମୁଖୀ ହେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ପୋଲିସ ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ହେଉ ଏବଂ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁ। ଦୋଷୀ ଦଣ୍ଡ ପାଉ ଏବଂ ନିରପରାଧୀ ବିନା ଭୟରେ ଜୀବନ ଜିଉ।” ନୂତନ ‘ଭାରତୀୟ ନ୍ୟାୟ ସଂହିତା’ କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର (Conviction Rate) ଗତ ବର୍ଷ ଡିସେମ୍ବର ସୁଦ୍ଧା ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ବର୍ତ୍ତମାନର ବଡ଼ ଆହ୍ୱାନ ସାଇବର ଓ ସଂଗଠିତ ଅପରାଧର ମୁକାବିଲା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
ଉତ୍ସବରେ ଯୋଗଦେଇ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର କହିଛନ୍ତି ଯେ, ଥାନା ଓ ହସ୍ପିଟାଲକୁ କେବଳ ଅସହାୟ ଲୋକମାନେ ହିଁ ଆସିଥାନ୍ତି, ତେଣୁ ସେମାନଙ୍କ ସମସ୍ୟାକୁ ସହାନୁଭୂତିର ସହ ବୁଝିବା ଉଚିତ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରାକୁ ପ୍ରଶଂସା କରି କହିଛନ୍ତି ଯେ, ଏହି ନୂତନ ଭିତ୍ତିଭୂମି ଜନସାଧାରଣଙ୍କୁ ଅଧିକ ସ୍ୱଚ୍ଛ ଓ ଦକ୍ଷ ସେବା ଯୋଗାଇବାରେ ସହାୟକ ହେବ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ଗଗିରି ବିଧାୟିକା ଉପାସନା ମହାପାତ୍ର, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଏସପି ପ୍ରତୀକ ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




