Uncategorized

ବିଜେପି କୋର୍ କମିଟି ବୈଠକ ଶେଷ: ପଞ୍ଚାୟତ ଦଖଲ ପାଇଁ ନେତାଙ୍କୁ ‘ଗୁରୁମନ୍ତ୍ର’ ଦେଲେ ନୀତିନ୍ ନବୀନ

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ ଶେଷ ହୋଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କୁ ଏବେଠାରୁ ପ୍ରସ୍ତୁତ ରହିବା ପାଇଁ ଟାସ୍କ ଦେଇଛନ୍ତି ନୀତିନ୍ ନବୀନ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ନବୀନ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ପଞ୍ଚାୟତ ଦଖଲ ଲାଗି ଦଳୀୟ ନେତାଙ୍କୁ ସଫଳତାର ‘ଗୁରୁମନ୍ତ୍ର’ ଦେଇଛନ୍ତି। ସରକାର କିପରି ଅଧିକ ଗତିଶୀଳ ହେବ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବ, ସେ ନେଇ ସେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ କିପରି ଶକ୍ତିଶାଳୀ କରାଯାଇପାରିବ, ସେ ନେଇ ବିଧାୟକମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କୋର୍ କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କର୍ମୀଙ୍କୁ ଉତ୍ସାହିତ କରି କହିଛନ୍ତି, “ସଂଗଠନ ପାଇଁ ଯେତେ ସମ୍ଭବ କାମ କରନ୍ତୁ, ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁ ନାହିଁ। ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ ଭଳି ଜନହିତକର ସେବାକୁ ଘରେ ଘରେ ପହଞ୍ଚାନ୍ତୁ। ମୋଦୀ ସରକାର ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ହିଁ ଦଳର ସବୁଠାରୁ ବଡ଼ ପ୍ରଚାର।” ଏହାସହ ନୂଆ ଓ ପୁରୁଣା କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସାରା ରାଜ୍ୟରେ ପଦ୍ମ ଫୁଟାଇବାକୁ ସେ ପରାମର୍ଶ ଦେଇଛନ୍ତି।

Related Articles

Back to top button