
ଭୁବନେଶ୍ୱର ,ଆସନ୍ତା ମେ’ ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆ ଠାରେ,୧୭ତମ ସାତସାହି କଟକ ନୃତ୍ୟ ଉତ୍ସବ–୨୦୨୬ ଆୟୋଜିତ ହେବ। ଏହି ନୃତ୍ୟାତ୍ସବରେ ସମାଜସେବା, ଆଇନ, ଶିକ୍ଷା, ଶିଳ୍ପ, ସଂସ୍କୃତି, କଳା, ସାହିତ୍ୟ, ସଙ୍ଗୀତ, ରିଅଲ୍ ଇଷ୍ଟେଟ୍ ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶତାଧିକ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ‘ଜାତୀୟ ରତ୍ନ’ ଓ ‘ଓଡ଼ିଶା ରତ୍ନ’ ସମ୍ମାନ ପ୍ରଦାନ କରାଯିବ।ଦର୍ଶକମାନଙ୍କ ପାଇଁ ପ୍ରତିଦିନ ଏକ ବିଶେଷ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖାଯାଇଛି, ଯେଉଁଥିରେ ଛଅଟି ପ୍ରଶ୍ନ ପଚାରାଯିବ ଓ ସଠିକ୍ ଉତ୍ତରଦାତାଙ୍କୁ ପୁରସ୍କାର ଦିଆଯିବ। ଶେଷ ସନ୍ଧ୍ୟାରେ କମିଟିର ମୁଖପତ୍ର ‘ନଗରୀ କଟକ’ ଉନ୍ମୋଚିତ ହେବ।ଏହି ନୃତ୍ୟ ଉତ୍ସବର ମୂଳ ଉଦ୍ଦେଶ୍ୟ ଭାରତୀୟ କଳା ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରଚାର କରିବା ସହିତ ସମାଜର ଅବହେଳିତ ବର୍ଗ, କ୍ୟାନ୍ସର ଓ ଥାଲାସେମିଆ ରୋଗୀ, ଭିନ୍ନକ୍ଷମ ଓ ଅନାଥ ଶିଶୁମାନଙ୍କୁ ସହଯୋଗ ଯୋଗାଇବା।ପ୍ରତ୍ୟେକ ସନ୍ଧ୍ୟାକୁ କଳା, ସଂସ୍କୃତି ଓ ସଙ୍ଗୀତ ଜଗତର ଦିବଙ୍ଗତ ଗୁରୁଜନଙ୍କ ସ୍ମୃତିରେ ଉତ୍ସର୍ଗ କରାଯିବ। ନବମ ସନ୍ଧ୍ୟାରେ ଦିବଙ୍ଗତ ଯୁବ ପ୍ରଯୋଜକ ସୁମିତ ରାଉତ ମେମୋରିଆଲ୍ ସିନେମେକର୍ ସମ୍ମାନ ନବାଗତ ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲ୍ ଓ ତମନ୍ନା ଅଗ୍ରୱାଲ୍ଙ୍କୁ ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଡଷ୍ଟବିନ୍’ ପାଇଁ ପ୍ରଦାନ କରାଯିବ।




