ଶ୍ରୀମନ୍ଦିରରେ ଅଘଟଣ! ମହାପ୍ରଭୁଙ୍କ ଦର୍ଶନ ଅପେକ୍ଷାରେ ଭକ୍ତଙ୍କ ମୃତ୍ୟୁ।

ପୁରୀ ଶ୍ରୀମନ୍ଦିରରେ ଘଟିଛି ଏକ ଦୁଃଖଦ ଘଟଣା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳେ ଦେବରାଜ ନିଜ ବନ୍ଧୁବାନ୍ଧବଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ବ୍ୟାରିକେଡ୍ ବାହାରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ।
ଏହାପରେ ତୁରନ୍ତ ଡ୍ୟୁଟିରେ ଥିବା ପୁଲିସ ଓ ଶ୍ରୀମନ୍ଦିର ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ପରୀକ୍ଷା ପରେ ଦେବରାଜଙ୍କୁ ମୃତ ଘୋଷଣା କରିଥିଲେ।ପରେ ପରିବାରବର୍ଗଙ୍କ ସହ ଯୋଗାଯୋଗ ଏବଂ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚରୁ ଜଣାପଡ଼ିଛି ଯେ, ଦେବରାଜ ଗତ ତିନି ବର୍ଷ ଧରି ହୃଦ୍ରୋଗଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଚିକିତ୍ସାଧୀନ ଥିଲେ।
ପ୍ରାଥମିକ ଅନୁମାନ ଅନୁସାରେ, ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ଏଭଳି ଅକାଳ ବିୟୋଗକୁ ନେଇ ଶୋକର ଛାୟା ଖେଳିଯାଇଛି।




