
ଭୁବନେଶ୍ୱର,ବୁଧବାର ଗୁଜରାଟର ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ, ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ ଏବଂ ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ,ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଏବଂ ଶିଳ୍ପ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବାବେଳେ ପୂର୍ବ ଉପକୂଳ ଏବେ, ଗୁରୁତ୍ବପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି। ସେଥିରୁ ୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି। ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ସହିତ ଓଡ଼ିଶାର, ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ, ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଏବଂ ଏସ୍ଇଜେଡ୍ ପରିଦର୍ଶନ କରିଥିଲେ। ଏହି ଗସ୍ତ ଦ୍ୱାରା ବନ୍ଦର-ଭିତ୍ତିକ ଶିଳ୍ପାୟନ ଉପରେ ଓଡ଼ିଶାର ରଣନୈତିକ, ଗୁରୁତ୍ବ ବୃଦ୍ଧି ପାଇଛି।




