ଅର୍ଣ୍ଣବ ପରେ ମାଡ଼ି ଆସୁଛି ‘ମୁରାସୁ’

ପୁଣି ଆସୁଛି ବାତ୍ୟା,ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ବଙ୍ଗୋପସାଗରେ ଏକ ଅବପାତ ସୃଷ୍ଟି ହେବାକୁ ଯାଉଛି। ଆଉ ଏହି ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ‘ମୁରାସୁ’ । ମୁରାସୁ ହେଉଛି ଏକ ତାମିଲ ଶବ୍ଦ। ଏହାର ଅର୍ଥ ବଡ଼ ଢୋଲ ବା ଯୁଦ୍ଧ ଢୋଲ । ପୁରାତନ କାଳରେ ଯୁଦ୍ଧ ଘୋଷଣା, ରାଜକୀୟ ଘୋଷଣା ଏବଂ ସାଧାରଣ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ପାଇଁ ଏହି ଢୋଲ ବଜାଯାଉଥିଲା। ତାମିଲ ସଂସ୍କୃତି ଓ ପରମ୍ପରା ସହ ଏହି ନାମର ଗଭୀର ସମ୍ପର୍କ ରହିଛି ।
ତେବେ ଆଗାମୀ ୬ ଘଣ୍ଟା ଭିତରେ ଏହା ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ବହୁତ ସମ୍ଭାବନା ରହିଛି। ବାତ୍ୟା ସୃଷ୍ଟି ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




