
ଭୁବନେଶ୍ୱର, ୦୧/୦୫/୨୦୨୬: ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ପିଏମ୍ଜିଏସ୍ୱାଇ-୪ ଅଧୀନରେ ଓଡ଼ିଶାର ୮ଟି ଜିଲ୍ଲା ଯଥା କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ୮୯୮ଟି ଗ୍ରାମକୁ ସଂଯୋଗ କରିବା ପାଇଁ ୧୭୦୨ କିଲୋମିଟର ଦୈର୍ଘ୍ୟର ପକ୍କା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ।
ଏହି ଅବସରରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୬୩୦ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ସହିତ ରାୟଗଡ଼ା ଜିଲ୍ଲାରେ ୧୦୪.୫୬ କୋଟି ଟଙ୍କାର ୧୩ଟି ନୂତନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି।
ମୁଖ୍ୟମନ୍ତ୍ରୀ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ‘Mission Powar’ (Power-Water-Road) ଅଭିଯାନ ଘୋଷଣା କରିଛନ୍ତି, ଯାହା ମାଧ୍ୟମରେ ୫୦ରୁ ଅଧିକ ଜନସଂଖ୍ୟା ଥିବା କ୍ଷୁଦ୍ର ପଡ଼ା ଗ୍ରାମଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବାକୁ ପ୍ରସ୍ତାବ ରଖିଛନ୍ତି।
୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।




