
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା | ସର୍ତ୍ତମୂଳକ ଜାମିନରେ ଜେଲ୍ ରୁ ମୁକୁଳିବା ପରେ ପୁଣି ଥରେ ଅଡୁଆରେ ଛନ୍ଦି ହୋଇପଡିଛନ୍ତି ବିକ୍ରମ ପଣ୍ଡା | ଜେଲ୍ରେ ଥିବା ସମୟରେ ଜଣେ ସାକ୍ଷୀଙ୍କୁ ଫୋନ୍ରେ ଧମକ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଗୋଷାଣୀ ନୂଆଗାଁ ଥାନାରେ ସାନି ମାମଲା ରୁଜୁ ହୋଇଛି। ଏ ନେଇ ବ୍ରହ୍ମପୁର ଏସ୍ପି ସରବଣା ବିବେକ ସୂଚନା ଦେଇଛନ୍ତି |
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବିକ୍ରମ ପଣ୍ଡା ଜେଲ୍ରେ ଥିବାବେଳେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ବ୍ୟବହାର କରି ଜଣେ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ ରହିଛି। ଜେଲ୍ର CCTV ଫୁଟେଜ୍ରୁ ଏହି ଫୋନ୍ କଥାବାର୍ତ୍ତା ସମ୍ପର୍କରେ ପ୍ରମାଣ ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହାପରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା ରୁଜୁ କରାଯାଇଛି। ଏହି ଘଟଣାରେ ମଦନ ଦଳାଇଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆସିଛି | ଅନ୍ୟପଟେ ଜେଲ୍ରୁ ଫୋନ୍ ବ୍ୟବହାରରେ ସହଯୋଗ କରିଥିବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖାଯିବ ବୋଲି ପୋଲିସ କହିଛି।
ତେବେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିଲେ ଵିକଟମ ପଣ୍ଡା | ଦୀର୍ଘ 8 ମାସ ଜେଲରେ ରହିବା ପରେ ଅଗଷ୍ଟ ୩୧ରେ ଓଡ଼ିଶା ହାଇକୋର୍ଟ ତାଙ୍କ ଗିରଫ ପ୍ରକ୍ରିୟାକୁ ଆଇନଗତ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଦେଶରେ ସାକ୍ଷୀ, ଅଭିଯୋଗକାରୀ କିମ୍ବା ପୀଡ଼ିତ ପରିବାରକୁ ଧମକ, ଭୟଭୀତ କିମ୍ବା ପ୍ରଭାବିତ ନ କରିବା ସର୍ତ୍ତ ମଧ୍ୟ ରହିଥିଲା। ତେବେ ନୂଆ ମାମଲାରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ଏବେ ତଦନ୍ତାଧୀନ ରହିଛି।




