ଜାତୀୟ

ସରିଲା ୫ ରାଜ୍ୟର ନିର୍ବାଚନ ବଢ଼ିଲା ଗ୍ୟାସ ରେଟ

ନୂଆଦିଲ୍ଲୀ,୦୧/୦୫/୨୦୨୬ : ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଶେଷ ହେଉ ହେଉ ଜନତାଙ୍କୁ ଲାଗିଛି ଝଟକା । ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ନିର୍ବାଚନୀ ପ୍ରଚାରର କୋଳାହଳ ଥମିବା ଏବଂ ମତଦାନ ପ୍ରକ୍ରିୟା ଶେଷ ହେବା ମାତ୍ରେ ବାଣିଜ୍ୟିକ LPG ସିଲିଣ୍ଡର ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଘଟିଛି। ଏପ୍ରିଲ ମାସ ସାରା ଦରଦାମକୁ ନେଇ ନିରବ ଥିବା ତୈଳ କମ୍ପାନୀଗୁଡ଼ିକ, ଶେଷ ପର୍ଯ୍ୟାୟ ମତଦାନ ସରିବା ମାତ୍ରେ ପ୍ରାୟ ୯୯୩ ଟଙ୍କା ବୃଦ୍ଧି କରିଛନ୍ତି। ଏହି ଟାଇମିଂକୁ ନେଇ ଏବେ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି , ନିର୍ବାଚନ ଥିଲା ବୋଲି ସରକାର ଏହି ବୋଝକୁ ବନ୍ଦ ରଖିଥିଲେ କି?

ରାଜନୈତିକ ସମୀକ୍ଷକଙ୍କ ମତରେ, ଯେତେବେଳେ ବି କୌଣସି ବଡ଼ ନିର୍ବାଚନ ଆସେ, ସେତେବେଳେ ଜନଅସନ୍ତୋଷରୁ ବଞ୍ଚିବା ପାଇଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରାୟତଃ ମୂଲ୍ୟ ବୃଦ୍ଧି କରନ୍ତି ନାହିଁ। ଏପ୍ରିଲ ୧ ତାରିଖରେ ବାଣୀଜ୍ୟିକ lpg ମୂଲ୍ୟ ମାତ୍ର ୧୯୫ ଟଙ୍କା ବଢ଼ିଥିବା ବେଳେ, ମେ’ ୧ ତାରିଖରେ ଏକାଥରକେ ହଜାରେ ଟଙ୍କା ପାଖାପାଖି ବୃଦ୍ଧି ହେବା ସାଧାରଣ ଘଟଣା ନୁହେଁ। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ବେଳେ ଜନତାଙ୍କୁ ଦିଆଯାଉଥିବା ‘ଆର୍ଥିକ ଆଶ୍ୱାସନା’ କେବଳ ଭୋଟ୍ ହାତେଇବାର ଏକ ରଣନୀତି । ଏବେ ଭୋଟ୍ ଗ୍ରହଣ ଶେଷ ହୋଇଥିବାରୁ, କମ୍ପାନୀଗୁଡ଼ିକ ନିଜର କ୍ଷତି ଭରଣା କରିବା ପାଇଁ ଜନତାଙ୍କ ପକେଟ୍‌କୁ କରିଛନ୍ତି ମାଧ୍ୟମ।

ଅନ୍ୟପଟେ, ସରକାର ଏବଂ କମ୍ପାନୀଗୁଡ଼ିକ ପକ୍ଷରୁ ଏହି ବୃଦ୍ଧି ପାଇଁ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ଅସ୍ଥିରତାକୁ କାରଣ ଭାବେ ଦର୍ଶା ଯାଇଛି। ବ୍ୟବସାୟିକ କ୍ଷେତ୍ରରେ ଏହି ବୃଦ୍ଧି ପରୋକ୍ଷରେ ମଧ୍ୟବିତ୍ତ ଶ୍ରେଣୀର ଜନତାଙ୍କୁ ହିଁ ବାଧିବ। କାରଣ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟ ମହଙ୍ଗା ହେଲେ, ତାହା ସାଧାରଣ ଲୋକଙ୍କ ଖର୍ଚ୍ଚକୁ ବଢ଼ାଇବ।

ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ ୩,୦୭୧ ଟଙ୍କା ୫୦ ପଇସା ଏବଂ କୋଲକାତାରେ ୩,୨୦୨ ଟଙ୍କା ହୋଇଛି। ମେ’ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ, ଯେଉଁଥିରେ ଜଣାପଡ଼ିବ କାହା ହାତକୁ ଶାସନ ଯାଉଛି। କିନ୍ତୁ ତା’ ପୂର୍ବରୁ ଆସିଥିବା ଏହି ‘ମହଙ୍ଗା ଫଳାଫଳ’ ଜନତାଙ୍କ ମନରେ ଏକ ନିରବ ଅସନ୍ତୋଷ ସୃଷ୍ଟି କରିଛି। ନିର୍ବାଚନ ସରିବା ମାତ୍ରେ ଏପରି ମହଙ୍ଗା ଉପହାର କେବଳ ବାଣିଜ୍ୟିକ ନୁହେଁ, ବରଂ ଏକ ସୁଚିନ୍ତିତ ‘ପଲିଟିକାଲ୍ ଗେମ ’ ବୋଲି ଚର୍ଚ୍ଚା ଜୋର ଧରିଛି।

Related Articles

Back to top button