
ଭୁବନେଶ୍ୱର,୦୧/୦୪/୨୦୨୬: ଓଡ଼ିଶାର ଗର୍ବ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ଡକ୍ଟର ନିଶିକାନ୍ତ ଦୁବେଙ୍କ ଏକ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣା ବିଜୁ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେବା ସହ ଓଡ଼ିଶା ରାଜନୀତିରେ ବଡ଼ ଝଡ଼ ସୃଷ୍ଟି କରିଥିଲା। ନିଶିକାନ୍ତଙ୍କ ମନ୍ତବ୍ୟକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଦିବ୍ୟଶଙ୍କର ମିଶ୍ର, ମୁନ୍ନା ଖାଁ ଏବଂ ସଞ୍ଜୟ ସିଂ କଡ଼ା ନିନ୍ଦା କରିଥିଲେ। କେବଳ ସେତିକି ନୁହେଁ, ବିଜେପି ସାଂସଦ ବାବୁ ସିଂ ମଧ୍ୟ ଏହି ମନ୍ତବ୍ୟକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
ସମାଲୋଚନାର ଶିକାର ହେବା ପରେ ଶେଷରେ ନିଶିକାନ୍ତ ଦୁବେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ନିଜର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ଏକ ସନ୍ଦେଶ ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ନେହେରୁ-ଗାନ୍ଧୀ ପରିବାର ବିଷୟରେ କହିବା ସମୟରେ ବିଜୁ ବାବୁଙ୍କ ସମ୍ପର୍କରେ ତାଙ୍କ କଥାର ଭୁଲ୍ ଅର୍ଥ ବାହାର କରାଯାଇଛି। ନେହେରୁଙ୍କ ଉପରେ ଥିବା ତାଙ୍କର ବ୍ୟକ୍ତିଗତ ବିଚାରକୁ ଲୋକେ ବିଜୁ ବାବୁଙ୍କ ଉପରେ ବୋଲି ଭାବୁଛନ୍ତି ।
ନିଶିକାନ୍ତ ସ୍ପଷ୍ଟ କରିଛନ୍ତି ଯେ, ବିଜୁ ବାବୁ ସବୁବେଳେ ଜଣେ ଉଚ୍ଚକୋଟୀର ‘ଷ୍ଟେଟ୍ସମ୍ୟାନ୍’ ଭାବେ ପରିଚିତ । ତାଙ୍କ ପାଇଁ ସବୁବେଳେ ସମ୍ମାନ ରହିବ। ତାଙ୍କ ମନ୍ତବ୍ୟ ଯଦି ଓଡ଼ିଶାବାସୀଙ୍କ ଭାବନାକୁ ଆହତ କରିଥାଏ, ତେବେ ସେଥିପାଇଁ ସେ ନିସ୍ଵାର୍ଥ ଭାବେ କ୍ଷମା ମାଗିଛନ୍ତି । ଓଡ଼ିଶା ରାଜନୀତିରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ଏବଂ ତାଙ୍କୁ ସମାଲୋଚନା କରିବା କେହି ସହଜରେ ଗ୍ରହଣ କରିପାରିବେ ନାହିଁ, ଯାହା ଏହି ଘଟଣାରୁ ପୁଣିଥରେ ପ୍ରମାଣିତ ହୋଇଛି।




