ଓଡ଼ିଶାବନ୍ୟା

ରାଇକିଆରେ କ୍ଷତିଗ୍ରସ୍ତଙ୍କୁ ଭେଟିଲେ ପ୍ରତିନିଧି ଦଳ

କନ୍ଧମାଳରେ ପ୍ରକୃତିର କରାଳ ରୂପ! ଭୂସ୍ଖଳନରେ ଉଜୁଡ଼ିଗଲା ଘରଦ୍ୱାର, ଛାରଖାର ହୋଇଗଲା ଅନେକ ପରିବାରର ଜୀବନ। କାହାର ମୁଣ୍ଡ ଉପରୁ ଛାତ ଛଡ଼ାଇ ନେଇଛି ତ କାହାର ଛଡ଼ାଇ ନେଇଛି ନିଜ ପରିଜନଙ୍କୁ। ଏଭଳି ଦୁଃଖଦ ସମୟରେ ବିପନ୍ନଙ୍କ ପାଖରେ ପହଞ୍ଚିଛି ବିଜୁ ଜନତା ଦଳ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିଛନ୍ତି ପ୍ରତିନିଧି ଦଳ।

କିଳପାଙ୍ଗ ୟୁପି ସ୍କୁଲରେ ଆଶ୍ରୟ ନେଇଥିବା ୩୦ଟି ପରିବାର, ମାଣିକେଶ୍ୱରୀ ଗାଁର ଯୋଗେଶ୍ୱରୀ ହାଇସ୍କୁଲରେ ଆଶ୍ରୟ ନେଇଥିବା ୧୦୫ଟି ପରିବାର ଏବଂ ଇନ୍ଦ୍ରଗଡ଼ ଗାଁର ୩୦ଟି ପରିବାରକୁ ଭେଟିଛନ୍ତି ବିଜେଡି ନେତା।ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଭୟାବହ ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି। ଏପରିକି ପ୍ରାୟ ୧୨ ଜଣ ଏବେ ବି ନିଖୋଜ ଥିବା ସୂଚନା ମିଳିଛି।

ଏହି ହୃଦୟବିଦାରକ ଘଟଣାରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ବିଜେଡି ପ୍ରତିନିଧି ଦଳ। ଏହାସହ ଭୂସ୍ଖଳନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଛନ୍ତି।କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ୟ ଦାବି କରିଛି ଦଳ। ଡାଙ୍ଗେସି ଗ୍ରାମର ବାସ୍ତବ ସ୍ଥିତିକୁ ନେଇ ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ପ୍ରତିନିଧି ଦଳ।

ଏହି ପ୍ରତିନିଧି ଦଳରେ ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା ଓ ସାଲୁଗା ପ୍ରଧାନଙ୍କ ସମେତ ସ୍ଥାନୀୟ ବିଜେଡି ନେତୃମଣ୍ଡଳୀ ସାମିଲ ଥିଲେ। ତେବେ ଏହି ଦୁଃଖଦ ସମୟରେ ଡାଙ୍ଗେସି ଗ୍ରାମବାସୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଥିବା କହିଛି ବିଜୁ ଜନତା ଦଳ।ଏବେ ସବୁଠୁ ବଡ଼ ପ୍ରଶ୍ନ, କେବେ ମିଳିବ ବିପନ୍ନଙ୍କୁ ଉପଯୁକ୍ତ ସରକାରୀ ସହାୟତା? କେବେ ଫେରିବ ଭୂସ୍ଖଳନରେ ସର୍ବସ୍ୱ ହରାଇଥିବା ପରିବାରଙ୍କ ଜୀବନରେ ସ୍ୱାଭାବିକତା? ଏବେ ଅପେକ୍ଷା ପ୍ରଶାସନର ପଦକ୍ଷେପକୁ।

Related Articles

Back to top button