
ଓଡ଼ିଶାର କୃଷି ଓ କୃଷକଙ୍କ ବିକାଶକୁ ନେଇ ବିଜେପି ସରକାରର ବଡ଼ ଦାବି। ଧାନ କିଣାଠାରୁ ଆରମ୍ଭ କରି ଚାଷୀଙ୍କ ପଞ୍ଜୀକରଣ, ଚାଷ ଜମିର ପରିମାଣ ଏବଂ ଆର୍ଥିକ ସହାୟତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଅଭିବୃଦ୍ଧି ହୋଇଥିବା କହିଛି ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ବିଜେପି ସରକାର ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଧାନର ଏମଏସପି ସହ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ଦେଇ ମୋଟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି।
ତାଙ୍କ କହିବା ଅନୁଯାୟୀ, ୨୦୨୩-୨୪ରେ ପ୍ରାୟ ୨୦ ଲକ୍ଷ ୪୯ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୧୫ ଲକ୍ଷ ୩୨ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇଥିଲା। ଫଳରେ ପ୍ରାୟ ୫ ଲକ୍ଷ ୧୭ ହଜାର ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଜେପି ସରକାର ଆସିବା ପରେ ୫ ଲକ୍ଷ ୭୧ ହଜାର ଚାଷୀଙ୍କ ଟୋକନ୍ ଅବଧି ବୃଦ୍ଧି କରି ଧାନ କିଣିବା ସହ ୨୨ ଲକ୍ଷ ୪୮ ହଜାର ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଥିବା ଦାବି କରିଛନ୍ତି ଶ୍ରୀ ଖଟୁଆ।
ସେହିପରି ଧାନ ଚାଷ ଜମିର ପରିମାଣ ୫୫.୪୮ ଲକ୍ଷ ଏକରରୁ ବୃଦ୍ଧି ପାଇ ପ୍ରାୟ ୬୪.୯୫ ଲକ୍ଷ ଏକରରେ ପହଞ୍ଚିଥିବା ବେଳେ ଧାନ ସଂଗ୍ରହ ପରିମାଣ ମଧ୍ୟ ୭୦ ଲକ୍ଷ ମେଟ୍ରିକ୍ ଟନ୍ରୁ ପ୍ରାୟ ୯୮ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଥିବା ବିଜେପି ଦାବି କରିଛି। ଚାଷୀଙ୍କ ଖାତାକୁ ଯାଇଥିବା ଅର୍ଥର ହିସାବ ମଧ୍ୟ ରଖିଛନ୍ତି ବିଧାୟକ। ବିଜେଡି ସରକାର ସମୟରେ ୧୫ ଲକ୍ଷ ୩୨ ହଜାର ଚାଷୀଙ୍କୁ ୧୫ ହଜାର ୪୭୩ କୋଟି ଟଙ୍କା ଦିଆଯାଇଥିବା ବେଳେ ବିଜେପି ସରକାରଙ୍କ ସମୟରେ ୨୨ ଲକ୍ଷ ୪୮ ହଜାର ଚାଷୀଙ୍କୁ ୩୦ ହଜାର ୩୬୧ କୋଟି ଟଙ୍କା ଡିବିଟି ମାଧ୍ୟମରେ ଦିଆଯାଇଥିବା ସେ କହିଛନ୍ତି।
ଅନ୍ୟପଟେ ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି। ୨୦୧୫ରେ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ଇନପୁଟ୍ ସବସିଡି ଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ୨୦୨୪ ପର୍ଯ୍ୟନ୍ତ ଚାଷୀ ଏହା ପାଇନଥିବା ସେ ଅଭିଯୋଗ କରିଛନ୍ତି। ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ବିଜେପି ସରକାର ଆସିବା ପରେ ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳୁଛି। ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ସିସିଟିଭି ଲଗାଇବା, ଟୋକନ୍ ସମସ୍ୟାର ସମାଧାନ ଏବଂ ଧାନ ବିକ୍ରି ପ୍ରକ୍ରିୟାର ତଦାରଖ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
କେବଳ ଧାନ ଚାଷ ନୁହେଁ, ଶସ୍ୟ ବିବିଧକରଣ ସହ କୃଷିଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯାଉଛି। କୁକୁଡ଼ା ଚାଷ, ମାଛ ଚାଷ, ଛେଳି ଚାଷ, ଗୋପାଳନ ଏବଂ ଦୁଗ୍ଧ ଉତ୍ପାଦନ ଭଳି କ୍ଷେତ୍ରରେ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି।ବିଜେପି ସରକାରଙ୍କ ଏହି କୃଷି ନୀତି ଆଗାମୀ ଦିନରେ ଓଡ଼ିଶାର ଅର୍ଥନୀତିକୁ ଅଧିକ ମଜଭୁତ କରିବ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଦଳୀୟ ବିଧାୟକମାନେ ଆଶା ପ୍ରକାଶ କରିଛନ୍ତି।




