ରାଜରାସ୍ତାରେ ମାଣବସାଇଲେ ଅଙ୍ଗନବାଡ଼ି ଦିଦି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଆଜି ମାର୍ଗଶିର ଗୁରୁବାର । ଘରେ ମାଆ ଲକ୍ଷ୍ମୀଙ୍କ ପୂଜା ଓ ମାଣବସାର ଆସର । ଆଉ ସ୍ତ୍ରୀ ଲୋକମାନେ ଘରେ ଘରେ ମାଣ ବସେଇ ମାଆ ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି । ହେଲେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଘରେ ମାଣବସା ପୂଜା କରିବା ବଦଳରେ ରାଜରାସ୍ତାରେ ବ୍ରତ ପାଳିଛନ୍ତି ଶହ ଶହ ଅଙ୍ଗନବାଡ଼ି ଦିଦି । ସକାଳୁ ଉପବାସ ରହି ରାସ୍ତା ଉପରେ ପୂଜାର୍ଚ୍ଚନା କରିବା ସହ ବ୍ରତକଥା ପାଠ କରିଛନ୍ତି ।
୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ପୁରୀ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ଅଙ୍ଗନବାଡ଼ି ଦିଦିମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବା ପରେ ଗାନ୍ଧିମାର୍ଗରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିଛି ।ସରକାରୀ ମାନ୍ୟତା ପ୍ରଦାନ ସହ ଅଙ୍ଗନବାଡ଼ି ମାଷ୍ଟରଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ହେଲ୍ପରଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ।
ନିଜ ହକ୍ ଓ ନ୍ୟାୟ ପାଇଁ ମାଆ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ । ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଅନିର୍ଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।




