Breaking Newsଜାତୀୟ

ଭୟଙ୍କର ଅଗ୍ନିକାଣ୍ଡ, ୩୧ ମୃତ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ହୁତୁହୁତୁ ହୋଇ ଜଳୁଛି ନିଆଁ। ଚାରିଆଡ଼େ ଧୂଆଁର ଆସ୍ତରଣ। ରାସ୍ତା ଉପରେ ଜଳି ପାଉଁଶ ହୋଇଗଲା ଏକାଧିକ ଗାଡ଼ି। ଇଜିପ୍ଟର ରାଜଧାନୀ କାଇରୋ ନିକଟରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ। ସୂଚନା ଅନୁଯାୟୀ, ଗିଜା ପ୍ରଦେଶର ଅଲ୍-ୱାରାକ୍ ଅଞ୍ଚଳର ରିଙ୍ଗ୍ ରୋଡ୍‌ରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଭୟଙ୍କର ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଅନ୍ୟ ଗାଡ଼ିକୁ ବ୍ୟାପିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୨୪ରୁ ଅଧିକ ଗାଡ଼ି ଜଳିଯାଇଛି।

ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏହି ଦୁର୍ଘଟଣାରେ ୩୧ ଜଣଙ୍କ ଜୀବନ ଯାଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ୩୯ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ୯ ଜଣଙ୍କ ଶରୀର ପୋଡ଼ିଯାଇଥିବା ବେଳେ ଜଣେ ଧୂଆଁ ଯୋଗୁଁ ଅସୁସ୍ଥ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି ଆହତଙ୍କ ଉତ୍ତମ ଚିକିତ୍ସା ସହ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଖାଲେଦ ଅବଦେଲ ଗଫର ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି। ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ସତର୍କ ରହିବା ସହ ଚିକିତ୍ସା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅନ୍ୟପଟେ ସାମାଜିକ ଏକତା ମନ୍ତ୍ରୀ ମାୟା ମୋର୍ସି ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀ ଓ ଇଜିପ୍ଟ ରେଡ୍ କ୍ରସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଗ୍ନିଶମ ବାହିନୀ ଓ ନାଗରିକ ସୁରକ୍ଷା ଦଳ ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ରାସ୍ତା ବନ୍ଦ କରାଯିବା ସହ ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା କରାଯାଇଥିଲା। ତେବେ ଏତେ ବଡ଼ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଘଟଣାର ତଦନ୍ତ ପରେ ହିଁ ଦୁର୍ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

Related Articles

Back to top button