
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ବୋଇତ ବନ୍ଦାଣ ଓ ରାହାସ ପୂର୍ଣ୍ଣିମାର ପବିତ୍ର ଅବସରରେ ଉତ୍ସବମୁଖର ହୋଇଉଠିଛି ସାରା ଓଡ଼ିଶା। ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳ ବ୍ରଜ ମୋହନ ରାମ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଆମ ଓଡ଼ିଶାର ଗୌରବମୟ ଇତିହାସ, କଳା ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥାଏ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ। ଏହି ଅବସରରେ ସେ ସମସ୍ତ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ ଶୁଭେଚ୍ଛା।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପାରମ୍ପରିକ ଉକ୍ତି ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’କୁ ସ୍ମରଣ କରି ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ନିଜ ବାର୍ତ୍ତାରେ ସେ କହିଛନ୍ତି, ଆମ ଗୌରବମୟ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ସମୃଦ୍ଧ ଐତିହ୍ୟକୁ ସ୍ମରଣ କରି ଆସନ୍ତୁ, ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା। ଏଥିସହ ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆଧ୍ୟାତ୍ମିକ ଚେତନା ଭରିଯାଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ ଆମ ଗୌରବମୟ ଅତୀତ, ପରମ୍ପରା ଓ ସଂସ୍କୃତିକୁ ମନେ ପକାଇ ଆସନ୍ତୁ, ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା। ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ ରାହାସ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା।




