
ବାତ୍ୟା ମୁରାସୁ ପ୍ରଭାବରେ ସକାଳୁ ସକାଳୁ କାଚିଲାଣି ବର୍ଷା । ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେପଟେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେବଳ ଆଜି ନୁହେଁ, ଆସନ୍ତାକାଲିଠାରୁ ବଢ଼ିବ ବର୍ଷାର ପରିମାଣ। ଏଥିପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ।
ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ଆଶଙ୍କା ରହିଛି। ସେପଟେ ୪ ତାରିଖରେ ମଧ୍ୟ ସାରା ଓଡ଼ିଶାରେ ବର୍ଷା ଓ ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେଣୁ ବର୍ଷା ଓ ବଜ୍ରପାତ ସମୟରେ ଅଯଥାରେ ଘରୁ ବାହାରକୁ ନଯିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ।




