ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ଧାରଣ କଲା, ଓଡ଼ିଶାର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଅର୍ଣ୍ଣବ’। ଗୋପାଳପୁରଠାରୁ ପ୍ରାୟ ୩୮୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା।ଘଣ୍ଟାପ୍ରତି ପ୍ରାୟ ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିଥିବାବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚୁଛି। ଆସନ୍ତା ୨୮ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ସତର୍କତା ଜାରି କରାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଓଡ଼ିଶାର ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଆସନ୍ତା ୨୭ ଓ ୨୮ ତାରିଖ, ଦୁଇ ଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ତେବେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ସେହିପରି କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ୨୭ରୁ ୨୯ ତାରିଖ ଯାଏଁ ତିନି ଦିନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ଅନ୍ୟପଟେ ପୁରୀ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ତେବେ ଶିକ୍ଷକମାନଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ବାତ୍ୟା ସମ୍ପର୍କିତ ପରବର୍ତ୍ତୀ ସୂଚନା ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଉପରେ ନଜର ରଖିବା ସହ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ।




