ଓଡ଼ିଶାକୃଷି

ବିଶ୍ୱ ଖାଦ୍ୟ ଦିବସରେ ମୋଦୀଙ୍କ ବାଣିଜ୍ୟ କୂଟନୀତିକୁ ପ୍ରଶଂସା

କୃଷକଙ୍କ ସ୍ୱାର୍ଥ ଓ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା। ଅନ୍ତର୍ଜାତୀୟ ବାଣିଜ୍ୟ ନିୟମ ଆଗରେ ଦେଶର ଖାଦ୍ୟ ସୁରକ୍ଷା ସହ ସାଲିସ୍ ନୁହେଁ।୨୦୧୪ ମସିହାରେ କ୍ଷମତାକୁ ଆସିବାର ମାତ୍ର ଦୁଇ ମାସ ପରେ ଡବ୍ଲୁଟିଓ ସମ୍ମୁଖରେ ଭାରତର ଏହି ଦୃଢ଼ ଆଭିମୁଖ୍ୟ ରଖିଥିଲେ ମୋଦୀ ସରକାର।ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ କହିବା ଅନୁଯାୟୀ, ଭାରତର କୃଷକଙ୍କ ଫସଲ ଏବଂ ଗରିବଙ୍କ ଥାଳିକୁ ସୁରକ୍ଷା ଦେବାରେ ଏହି ନିଷ୍ପତ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ପ୍ରେସ୍ ବିବୃତିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ସରକାର ସର୍ବନିମ୍ନ ସହାୟତା ମୂଲ୍ୟରେ ୧,୧୭୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ କ୍ରୟ କରି ୧ କୋଟି ୮୪ ଲକ୍ଷ କୃଷକଙ୍କୁ ୩ ଲକ୍ଷ ୩୩ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି।ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଅଧୀନରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। କୃଷକଙ୍କ ଉତ୍ପାଦନର ମୂଲ୍ୟ ଏବଂ ଗରିବଙ୍କ ଖାଦ୍ୟ ଅଧିକାରକୁ ଏକାଠି ସୁରକ୍ଷା ଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀ ପଣ୍ଡା।

୨୦୧୩ ମସିହାରେ ଇଣ୍ଡୋନେସିଆର ବାଲିଠାରେ ହୋଇଥିବା ଡବ୍ଲୁଟିଓ ବୈଠକ ପରେ ମଧ୍ୟ ଖାଦ୍ୟ ସୁରକ୍ଷା ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନଥିଲା।ଏହାପରେ ଜୁଲାଇ ୨୦୧୪ରେ ଭାରତ କୃଷି ଚୁକ୍ତିନାମାକୁ ଆଗକୁ ନେବା ପାଇଁ ସହମତି ଦେବାକୁ ମନା କରିଥିଲା।ଶେଷରେ ନଭେମ୍ବର ୨୦୧୪ରେ ଏକ ଅନ୍ତରୀଣ ବ୍ୟବସ୍ଥା ମାଧ୍ୟମରେ ବିକାଶଶୀଳ ଦେଶଗୁଡ଼ିକର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସୁରକ୍ଷା ଦେବାର ଆଶ୍ୱାସନା ମିଳିଥିଲା।ସତ୍ୟବ୍ରତ ପଣ୍ଡାଙ୍କ ମତରେ, ଭାରତର ଏହି ଦୃଢ଼ ଆଭିମୁଖ୍ୟ କେବଳ ଦେଶର କୃଷକଙ୍କ ସ୍ୱାର୍ଥକୁ ନୁହେଁ, ବରଂ ବିକାଶଶୀଳ ଦେଶଗୁଡ଼ିକର ଖାଦ୍ୟ ସୁରକ୍ଷା ଦାବିକୁ ମଧ୍ୟ ଶକ୍ତିଶାଳୀ କରିଛି।

Related Articles

Back to top button