ଉଚ୍ଚଶିକ୍ଷାର ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ

ଦେଶରେ ଉଚ୍ଚଶିକ୍ଷାର ବିସ୍ତାର ହୋଇଛି। ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ମେଡିକାଲ କଲେଜ, ଆଇଆଇଟି ଓ ଆଇଆଇଏମ୍ର ସଂଖ୍ୟା ବୃଦ୍ଧି ପାଇଛି। ୨୦୧୪ ପୂର୍ବରୁ ଦେଶରେ ୭୬୦ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ଏବେ ଏହି ସଂଖ୍ୟା ୧୨୮୯ରେ ପହଞ୍ଚିଛି। ସେହିପରି ମେଡିକାଲ କଲେଜ, ଏମ୍ବିବିଏସ୍ ସିଟ୍, ଆଇଆଇଟି, ଆଇଆଇଏମ୍ ଓ ଏମ୍ସର ସଂଖ୍ୟା ମଧ୍ୟ ବଢ଼ିଛି। ଦେଶରେ ଉଚ୍ଚଶିକ୍ଷାର ସୁଯୋଗ ବଢ଼ିବା ସହ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ରାଜ୍ୟ ମୁଖପାତ୍ର ଶ୍ରୀ ଅନୀଲ ବିଶ୍ୱାଳ କହିଛନ୍ତି।
ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ ପାଇଁ ବିଜେପି ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ଅନୀଲ ବିଶ୍ୱାଳ କହିଛନ୍ତି। କେଜିରୁ ପିଜି ମାଗଣା ଶିକ୍ଷାଦାନ ଯୋଜନା, ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଅଧ୍ୟାପକ ନିଯୁକ୍ତି ଏବଂ ପିଏମ୍-ଉଷା ଯୋଜନା ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ ଦାବି କରିଛନ୍ତି।ଏଥିସହ ଏଆଇ, ସେମିକଣ୍ଡକ୍ଟର, ଫିନ୍ଟେକ୍ ଶିକ୍ଷା ଓ ସ୍ମାର୍ଟ ଏଜୁକେସନ ଭଳି ଆଧୁନିକ କ୍ଷେତ୍ରରେ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
ଅନ୍ୟପଟେ, ଶିକ୍ଷା ସହ ଦକ୍ଷତା ବିକାଶ, ଗବେଷଣା ଓ ନିଯୁକ୍ତିକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି ସୁଜାତା ପାଢ଼ୀ। ତାଙ୍କ କହିବା ଅନୁସାରେ, ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ମେଧାବୃତ୍ତି, ଲାପଟପ୍ ପାଇଁ ପ୍ରୋତ୍ସାହନ, ଛାତ୍ରୀନିବାସ ନିର୍ମାଣ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ଭଳି ପଦକ୍ଷେପ ନିଆଯାଉଛି।ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ସହ ବୈଷୟିକ ଶିକ୍ଷା, ଗବେଷଣା ଓ ନବସୃଜନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ରାଜ୍ୟର ଯୁବବର୍ଗ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବା ସହ ନୂଆ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।




