Uncategorized

ବଡ଼ଗାମରେ ସୁରକ୍ଷାବାହିନୀକୁ ବଡ଼ ସଫଳତା: ଗୁଳିବିନିମୟରେ ଟଳିଲା ଲସ୍କର-ଏ-ତୋଏବା ଟପ୍ କମାଣ୍ଡର ମୁସା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବଡ଼ଗାମ ଜିଲ୍ଲାରେ ସୁରକ୍ଷାବାହିନୀକୁ ମିଳିଛି ଏକ ବଡ଼ ସଫଳତା। ସେନା, ସିଆର୍‌ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଆତଙ୍କବାଦୀ ନିରୋଧୀ ଅଭିଯାନରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତୋଏବା’ର ଶୀର୍ଷ କମାଣ୍ଡର ମୁସା ନିହତ ହୋଇଛି। ବଡ଼ଗାମ ଜିଲ୍ଲା ୟୁସମାର୍ଗ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ସୁରକ୍ଷା କର୍ମୀ ସନ୍ଦିଗ୍ଧ ଗତିବିଧି ଦେଖି ଚେତାବନୀ ଦେଇଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ଯବାନମାନଙ୍କ ପାଲଟା ଜବାବରେ ଲସ୍କର କମାଣ୍ଡର ମୁସା ସେଠାରେ ହିଁ ଟଳିପଡ଼ିଥିଲା। ସେନା ଅଧିକାରୀଙ୍କ ସୂଚନାନୁସାରେ, ମୁସା ଲସ୍କରର ଜଣେ ଅତି ସକ୍ରିୟ କମାଣ୍ଡର ଥିଲା ଏବଂ ପାକ୍-ଅଧିକୃତ କଶ୍ମୀରରୁ ନିଜର ଆତଙ୍କୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରୁଥିଲା। ୨୦୨୨ ମସିହାରେ ସେ କଶ୍ମୀର ଘାଟିରେ ପ୍ରବେଶ କରି ସେଠାରେ ଆତଙ୍କୀ ନେଟୱାର୍କ ସକ୍ରିୟ ରଖିଥିଲା। ଏହାପୂର୍ବରୁ ଗତ ସେପ୍ଟେମ୍ବର ୫ ତାରିଖରେ ମୁସାର ଅନ୍ୟ ଜଣେ ସହଯୋଗୀ ସେନାର ଗୁଳିରେ ପ୍ରାଣ ହରାଇଥିଲା। ମୁସା ନିପାତ ହେବା ପରେ ନିକଟସ୍ଥ ଗୁରୱେତକଲା ଗ୍ରାମରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷାବାହିନୀ ଘେରି ରଖି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

Related Articles

Back to top button